ଚାନ୍ଦିପୁରରେ ମାଡ ହେବ ବାତ୍ୟା ‘ୟସ୍’ ! ୫ ଜିଲ୍ଲାରେ ରଚିବ ତାଣ୍ଡବ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବଙ୍ଗୋପସାଗରରୁ ଆସିଥିବା ବାତ୍ୟା ‘ୟସ୍’ ୨୬ରେ ଉତ୍ତର ଓଡ଼ିଶା ଉପକୂଳରେ ମାଡ ହେବ। ବୁଧବାର ଅପରାହ୍ନରେ ଚାନ୍ଦିପୁର ପାଖାପାଖି ଅତି ଭୀଷଣ ବାତ୍ୟା ଭାବେ ସ୍ଥଳଭାଗକୁ ମାଡ଼ିଯିବ । ସେତେବେଳକୁ ପବନ ବେଗ ଘଣ୍ଟା ପ୍ରତି ୧୫୫ କିମିରୁ ୧୬୫ କିମି ଛୁଇଁପାରେ । ୟସ୍‌ ପ୍ରକୋପରେ ସର୍ବାଧିକ ପ୍ରଭାବିତ ହେବ ଓଡ଼ିଶାର ୫ଟି ଜିଲ୍ଲା । ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର । ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଭୀଷଣ ପବନ ମାଡ଼ ହେବ । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ପୂର୍ବାନୁମାନ ଓ ବାତ୍ୟାର ସମ୍ଭାବ୍ୟ ଗତିପଥ ଚିତ୍ରରୁ ଏଭଳି ଆଶଙ୍କା କରାଯାଉଛି ।

ଆଇଏମ୍‌ଡି ଜାରି କରିଥିବା ବାତ୍ୟାର ସମ୍ଭାବ୍ୟ ଗତିପଥ ଓ ପ୍ରଭାବ ଆକଳନରୁ ଅନୁମାନ କରାଯାଉଛି, ବୁଧବାର (୨୬ ତାରିଖ) ସକାଳ ପ୍ରାୟ ସାଢ଼େ ୫ଟାବେଳେ ୟାସ୍‌ ସମୁଦ୍ର ଭିତରେ ଭିତରକନିକାର ଉତ୍ତରରେ ପାଖାପାଖି ୭୦ କିମି ଦୂରରେ ଥିବ । ଅପରାହ୍ନ ସାଢ଼େ ୫ଟାବେଳେ ୟାସ୍‌ ଅତି ଭୀଷଣ ବାତ୍ୟା ଅବସ୍ଥାରେ ମୟୂରଭଞ୍ଜା ରାସଗୋବିନ୍ଦପୁର ପାଖାପାଖି ରହିବା ଅନୁମାନ କରାଯାଉଛି । ସେତେବେଳକୁ ବି ଏହା ଅତି ଭୀଷଣ ବାତ୍ୟା ଅବସ୍ଥାରେ ଥିବ । ଯଦିଓ ପବନ ବେଗ ସାମାନ୍ୟ କମି ଘଣ୍ଟା ପ୍ରତି ୧୨୦ରୁ ୧୩୦ କିମି ବହୁଥିବ । ପବନ ଧକ୍କା ଘଣ୍ଟା ପ୍ରତି ୧୪୫ କିମି ହୋଇପାରେ । ଅନୁମାନ କରାଯାଉଛି, ବୁଧବାର ମଧ୍ୟାହ୍ନ କିମ୍ବା ଅପରାହ୍ନରେ ହିଁ ୟାସ୍‌ ଅତି ଭୀଷଣ ବାତ୍ୟା ଅବସ୍ଥାରେ ବାଲେଶ୍ୱରର ଚାନ୍ଦିପୁର ପାଖାପାଖି ସ୍ଥଳଭାଗରେ ମାଡ଼ ହୋଇପାରେ ।ବାତ୍ୟା ବାଲେଶ୍ୱରରେ ମାଡ଼ ହେବା ପରେ ମୟୂରଭଞ୍ଜରେ ପଶିବ । ମୟୂରଭଞ୍ଜ ଦେଇ ଏହା ଝାଡ଼ଖଣ୍ଡର ଜାସସେଦପୁର ଏବଂ ରାଞ୍ଚି ଆଡ଼କୁ ଗତି କରିବା ସମ୍ଭାବନା ଅଛି ।

Leave a comment