ଆଜି ଅବପାତର ରୂପ ନେବ ଲଘୁଚାପ, ଆସନ୍ତାକାଲି ରାତିରୁ ରାଜ୍ୟରେ ବର୍ଷା ଜାରି
ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆଜି ଅବପାତର ରୂପ ନେବ । ପ୍ରଭାବରେ ରାଜ୍ୟରେ କାଲି ରାତିଠୁ ବର୍ଷା ଆରମ୍ଭ ହୋଇଯିବ । ଏହାପରେ ୨୩ ତାରିଖରେ ଗଭୀର ଅବପାତ ଓ ୨୪ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ଏହା ଉତ୍ତର-ଉତ୍ତର-ପୂର୍ବ ଦିଗରେ ଗତି କରି ୨୫ ତାରିଖ ସୁଦ୍ଧା ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେଇ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳରେ ପହଞ୍ଚିବ । ଏନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ପାଣିପାଗ ବିଭାଗ ନିର୍ଦ୍ଦେଶକ ଏଚ୍ଆର୍ ବିଶ୍ୱାସଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଓଡିଶା ଉପରେ ବାତ୍ୟାର ବିଶେଷପ୍ରଭାବ ନଥିଲେ ମଧ୍ୟ ଆସନ୍ତା ୨୩ ତାରିଖ ରାତିରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହେବ । ୨୫ ତାରିଖ ରାତିରୁ କିଛି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ରାଜ୍ୟର ଜଗତସିଂହପୁର,କେନ୍ଦ୍ରାପଡାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ସେହିପରି ବାଲେଶ୍ୱର, ଭଦ୍ରକ,ପୁରୀ ଜିଲ୍ଲାରେ ବି ପ୍ରବଳ ବର୍ଷା ହେବ । ୨୬ ତାରିଖରେ ମଧ୍ୟ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବ। ସେହିପରି ୨୩ ତାରିଖରେ ସମୁଦ୍ର ମଧ୍ୟ ଓଡିଶା ଉପକୂଳ ଏବଂ ତାର ଆଖପାଖ ଅଞ୍ଚଳରେ ଘଣ୍ଟା ପ୍ରତି ୩୫ ରୁ ୪୫ କିମି ବେଗରେ ପବନ ପ୍ରବାହିତ ହେବ । ସର୍ବାଧିକ ୫୫କିମି ବେଗରେ ପ୍ରବାହିତ ହେବା ନେଇ ଆକଳନ କରାଯାଉଛି । ୨୪ ତାରିଖରେ ଘଣ୍ଟା ପ୍ରତି ୪୫ ରୁ ୫୫ କିମି ବେଗରେ ପ୍ରବାହିତ ହେବ । ୨୫ ତାରିଖରେ ମଧ୍ୟ ୨୫ରେ ଝଡ ପବନ ଘଣ୍ଟା ପ୍ରତି ୫୦ ରୁ ୬୦ କିମି ବେଗରେ ପ୍ରବାହିତ ହେବ । ସର୍ବାଧିକ ୭୦ କିମି ଯାଏଁ ପବନ ବହିବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗ କହିଛି ।