ସକ୍ରିୟ ହେଉଛି ଘୂର୍ଣ୍ଣିବଳୟ, ୨୪ ଘଣ୍ଟା ଭିତରେ ଲଘୁଚାପର ରୂପ ନେଇ ୪୮ ଘଣ୍ଟା ଭିତରେ ବାତ୍ୟାର ରୂପ ନେବ

0

ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ଆସନ୍ତା ୨୪ ଘଣ୍ଟା ଭିତରେ ଲଘୁଚାପର ରୂପ ନେବ । ପରବର୍ତ୍ତୀ ୪୮ ଘଣ୍ଟା ଭିତରେ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି । ଟୁଇଟ୍ କରି ଏହି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଉତର-ଆଣ୍ଡାମାନ ସାଗାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିବା ସହ ବାୟୁମଣ୍ଡଳର ମଧ୍ୟ ଭାଗ ଯାଏଁ ବ୍ୟାପିଛି ।

ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ୨୪ ଘଣ୍ଟାରେ ଦକ୍ଷିଣ -ପୂର୍ବ ପାର୍ଶ୍ୱବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଏହା ସମୁଦ୍ର ଭିତରେ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ୨୨ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ । ପରବର୍ତ୍ତୀ ୪୮ ଘଣ୍ଟା ଅବପାତ ଆହୁରି ଘନୀଭୂତ ହୋଇ ବାତ୍ୟାର ରୁପ ନେବାର ସମ୍ଭାବନା ରହିଛି । ତେବେ ବାତ୍ୟାର ଗତିପଥକୁ ନେଇ ପାଣିପାଗ ବିଭାଗ ପକ୍ଷରୁ କୌଣସି ଆକଳନ କରାଯାଇନାହିଁ ।

ସେପଟେ ଇସିଏମଡବ୍ଲୁଏଫର ମୋଡେଲ ଓ ଜିଏଫଏସର ମୋଡେଲ ଆଧାରରେ ପାଣିପାଗ ସଂସ୍ଥା ଓିଣ୍ଡି ବାତ୍ୟାର ଗତିପଥ ଆକଳନ କରିଛି । ଇସିଏମଡବ୍ଲୁଏଫ ମଡେଲ ଅନୁସାରେ ବାତ୍ୟା ଆସନ୍ତା ୨୫ ତାରିଖରେ ପାରାଦ୍ୱୀପ, ଚାନ୍ଦବାଲି, ବାଲେଶ୍ୱରରେ ପ୍ରଭାବ ପକାଇପାରେ । ଜିଏଫଏସ ମଡେଲ ମଧ୍ୟ ସମାନ ପ୍ରକାରର ଆକଳନ କରିଛି । କିନ୍ତୁ ଆଇଏମଡି ଏହାକୁ ନେଇ କୌଣସି ଆକଳନ କରିନାହିଁ । ଲଘୁଚାପ କ୍ଷେତ୍ର ସୃଷ୍ଟି ପରେ ଏଥିରେ ସ୍ପଷ୍ଟତା ଆସିପାରେ ।

Leave a comment