ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା, ୪ ଦିଗ ଉପରେ ବିଶେଷ ଧ୍ୟାନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମୀକ୍ଷା କରିଛନ୍ତି । ମୁଖ୍ୟ ଶାସନ ସଚିବ, ସ୍ଵତନ୍ତ୍ର ରିଲିଫ କମିଶନର ଓ ୧୪ଟି ଜିଲ୍ଲାର ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ସେପଟେ ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ଆମେ ପୂରା ପ୍ରସ୍ତୁତ ବୋଲି କହିଛନ୍ତି ଏସଆରସି ।
କରୋନା ମହାମାରୀ ସମୟରେ ବାତ୍ୟା ମୁକାବିଲା ନେଇ ୪ଟି ଦିଗ ଉପରେ ବିଶେଷ ଧ୍ୟାନ ଦେଇଛନ୍ତି ରାଜ୍ୟ ସରକାର । ୧ –କରୋନା ଆକ୍ରାନ୍ତଙ୍କୁ ନିରନ୍ତର ଚିକିତ୍ସା ସେବା ଯୋଗାଇବା । ୨- ଆକ୍ରାନ୍ତଙ୍କୁ ଚିହ୍ନଟ କରିବା । ୩- ଅଧିକ ପ୍ରଭାବିତ ହେବାକୁ ଥିବା ଅଂଚଳରୁ ଲୋକଙ୍କୁ ସ୍ଥାନାନ୍ତର କରିବା । – ବାତ୍ୟା ପରବର୍ତ୍ତୀ ଅବସ୍ଥାରେ ପୁନଃରୁଦ୍ଧାର କାର୍ଯ୍ୟ । ଏନେଇ ଜିଲ୍ଲା ପ୍ରଶାସନ ଓ ବିଭିନ୍ନ ବିଭାଗ ସହ ଆଲୋଚନା ହୋଇଥିବା କହିଛନ୍ତି ସ୍ଵତନ୍ତ ରିଲିଫ କମିଶନର ।
ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ଓଡ଼ିଶାର ସମସ୍ତ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଫେରାଇ ଅଣାଯାଇଛି । ଆଉ କୌଣସି ମତ୍ସ୍ୟଜୀବୀ ସମୁଦ୍ର ମଧ୍ୟରେ ନାହାନ୍ତି ବୋଲି କହିଛନ୍ତି ଏସଆରସି । ସେହିଭଳି କୃଷକମାନେ ସେମାନଙ୍କ କୃଷିଜାତ ଦ୍ରବ୍ୟକୁ ସୁରକ୍ଷିତ ସ୍ଥାନକୁ ନେଇ ଆସନ୍ତୁ ବୋଲି ଅନୁରୋଧ କରାଯାଇଛି । ତୁରନ୍ତ ଜଳ ନିଷ୍କାସନ ପାଇଁ ଡ୍ରେନେଜ ସଫା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଲୋକଙ୍କୁ ସ୍ଥାନାନ୍ତର, ବାତ୍ୟା ଆଶୟସ୍ଥଳୀ ପରିଚାଳନା ଓ ପୁନରୁଦ୍ଧାର ପାଇଁ ବଡ଼ ବଡ଼ ଏନଜିଓମାନଙ୍କ ସହଯୋଗ ଲୋଡ଼ାଯାଇଛି ।
ଅକ୍ସିଜେନ୍ ଉତ୍ପାଦନ ଓ ରିଫିଲିଂ ପାଇଁ ଯେଭଳି କୌଣସି ଅସୁବିଧା ନହେବ ସେଥିପାଇଁ ଅକ୍ସିଜେନ୍ ଯୋଗାଉଥିବା ବିଭିନ୍ନ ସଂସ୍ଥାମାନଙ୍କ ସହ ଆଲୋଚନା ହୋଇଛି । ସେଥିପାଇଁ ସ୍ବତନ୍ତ୍ର ଆକ୍ସନ ପ୍ଲାନ କରିଛି ଶିଳ୍ପ ବିଭାଗ । ଜିଲ୍ଲା କୋଭିଡ୍ କେୟାର ସେଣ୍ଟର ଓ ଜିଲ୍ଲା କୋଭିଡ୍ ହସ୍ପିଟାଲରେ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ ସିଲିଣ୍ଡର ମହଜୁଦ୍ ରଖିବା ପାଇଁ ନିର୍ଦେଶ ଦିଆଯାଇଛି । ଏହାଛଡ଼ା ପାନୀୟ ଜଳ ଓ ଜେନେରେଟର ରଖିବା ପାଇଁ ମଧ୍ୟ କୁହାଯାଇଛି । ପ୍ରସୂତି ମହିଳାମାନେ ବାତ୍ୟା ଆଶ୍ରୟସ୍ଥଳକୁ ନଯାଇ ସିଧା ହସ୍ପିଟାଲ ଆସିବାକୁ କୁହାଯାଇଛି ।