ବାତ୍ୟା ଆଶଙ୍କାକୁ ନେଇ ୭ ଜିଲ୍ଲାକୁ ସତର୍କ ସୂଚନା

0

ଵଙ୍ଗୋପସାଗରରେ ଆଗକୁ ବଢୁଛି ସକ୍ରିୟ ସୁଦୃଶ୍ୟ ଲଘୁଚାପ । ଆଜି ସୃଷ୍ଟି ହୋଇଛି ୱେଲ ମାର୍କଡ ଲୋ ପ୍ରେସର । ଏବେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗର ଅଞ୍ଚଳରେ ଆଗକୁ ବଢୁଛି । ଆହୁରି ଘନୀଭୂତ ହେବ ସୁଦୃଶ୍ୟ ଲଘୁଚାପ । କାଲି ସୁଦ୍ଧା ଅବପାତ ସୃଷ୍ଟି ହେବା ସମ୍ଭାବନା ରହିଛି । ଏହାପରେ ପରବର୍ତ୍ତୀ ୨୪ ଘଣ୍ଟାରେ ହେବ ବାତ୍ୟା ।

ସମ୍ଭାବ୍ୟ ସାଇକ୍ଲୋନର ନାଁ ରହିବ ମିଗଜମ୍ । ୧ ତାରିଖରେ ପବନର ବେଗ ଘଣ୍ଟାପ୍ରତି ୬୦ରୁ ୭୦ କିଲୋମିଟର ବେଗରେ ପବନ ବହିପାରେ । ସମ୍ଭାବ୍ୟ ସାଇକ୍ଲୋନ୍ କୁଆଡ଼େ ଯିବ ? କଣ ରହିବ ପ୍ରଭାବ ସେନେଇ କୌଣସି ପୂର୍ବାନୁମାନ କରିନି ଭାରତୀୟ ପାଣିପାଗ ବିଭାଗ । ତେବେ କିଛି ମଡେଲ୍ ଦର୍ଶାଉଛନ୍ତି ସମ୍ଭାବ୍ୟ ବାତ୍ୟା ଆନ୍ଧ୍ରପ୍ରଦେଶ ଉପକୂଳ ମୁହାଁଇପାରେ । ତେବେ ଓଡ଼ିଶା ପାଇଁ ଏବେ କୌଣସି ୱାର୍ଣ୍ଣିଂ ଜାରି ହୋଇନି । ଡିସେମ୍ବର ୧ରୁ ମତ୍ସ୍ୟଜୀବୀଙ୍କୁ ଗଭୀର ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି ।

ବାତ୍ୟାର ଗତିପଥ ସ୍ପଷ୍ଟ ହୋଇନଥିବାବେଳେ ସତର୍କ କରାଇଛନ୍ତି SRC। ଉପକୂଳବର୍ତ୍ତୀ ୭ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ସତର୍କ କରାଯାଇଛି। ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଓ ଗଞ୍ଜାମ ଜିଲ୍ଲାପାଳଙ୍କୁ ଆଲର୍ଟ କରିଛନ୍ତି ଏସଆରସି । ମତ୍ସ୍ୟଜୀବୀମାନେ ଯେପରି ୧ ତାରିଖ ପରେ ସମୁଦ୍ର ମଧ୍ୟକୁ ନଯିବେ ଓ ଯେଉଁମାନେ ସମୁଦ୍ର ମଧ୍ୟରେ ଅଛନ୍ତି ସେମାନଙ୍କୁ କୂଳକୁ ଫେରିଆସିବାକୁ ସତର୍କ କରାଯାଇଛି। ଆସନ୍ତା ୩ ତାରିଖରେ ଓଡ଼ିଶାର ଉପକୂଳବର୍ତ୍ତୀ କିଛି ଜିଲ୍ଲାରେ ପ୍ରଭାବ ପଡିବାର ସମ୍ଭାବନା ରହିଛି। କିଛି କିଛି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ସମ୍ଭାବ୍ୟ ବାତ୍ୟା ଯୋଗୁ ସମୁଦ୍ର ଧୀରେ ଧୀରେ ଅଶାନ୍ତ ହେବାରେ ଲାଗିଛି।

Leave a comment