ବାତ୍ୟା ଅମ୍ଫାନ ସୁପର ସାଇକ୍ଲୋନରେ ପରିଣତ ହେବା ଆଶଙ୍କା,ସନ୍ଧ୍ୟାରୁ ବର୍ଷା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ବଙ୍ଗୋପସାଗରରେ ଲଗାତର ଅଧିକ ଘନୀଭୂତ ହେଉଛି ଅମ୍ଫାନ। ୧୨ ଘଣ୍ଟା ମଧ୍ୟରେ ସୁପର ସାଇକ୍ଲୋନରେ ପରିଣତ ହେବା ଆଶଙ୍କା ରହିଛି। ଆଜି ସନ୍ଧ୍ୟା ୫.୩୦ ସୁଦ୍ଧା ସୁପର ସାଇକ୍ଲୋନରେ ପରିଣତ ଆଶଙ୍କା ରହିଛି ବୋଲି ଭାରତୀୟ ପାଣିପାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ୨୨୦ରୁ ୨୬୫ କି.ମି ବେଗରେ ପବନ ବୋହିବା ସମ୍ଭାବନା ରହିଛି । ଆଜି ସଂଧ୍ୟାରୁ ଏହାର ପ୍ରଭାବ ରାଜ୍ୟରେ ଅନୁଭୂତ ହେବ । ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ବରରେ ବାତ୍ୟାର ପ୍ରଭାବ ବେଶୀ ରହିବ। ୧୯ ଓ ୨୦ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସାଙ୍ଗକୁ ଘଣ୍ଟାପ୍ରତି ୭୫ରୁ ୮୫ କିଲୋମିଟର ବେଗରେ ପବନ ପହିବ ବୋଲି ଆକଳନ କରାଯାଇଛି। ୨୦ତାରିଖ ସଂଧ୍ୟା ସୁଦ୍ଧା ଅମ୍ଫାନ ପଶ୍ଚିମବଙ୍ଗର ସାଗର ଆଇଲ୍ୟାଣ୍ଡ ଓ ବାଂଲାଦେଶର ହାତିଆ ଆଇଲ୍ୟାଣ୍ଡ ମଝିରେ ଲ୍ୟାଣ୍ଡଫଲ୍ କରିବ ବୋଲି ପୂର୍ବାନୁମାନ କରାଯାଇଛି । ଲ୍ୟାଣ୍ଡଫଲ ସମୟରେ ଏହା ଭୟଙ୍କର ରୂପ ନେଇପାରେ।

ସମ୍ଭାବ୍ୟ ବାତ୍ୟା ଅମ୍ପାନକୁ ଆଖିରେ ରଖି ୧୨ଜିଲ୍ଲାକୁ ଆଲର୍ଟ କରିଛନ୍ତି ରାଜ୍ୟ ସରକାର । ଏହିସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ପ୍ରସ୍ତୁତ ରହିବାକୁନିର୍ଦ୍ଦେଶ ଦିଆଯାଇଛି। ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ବରରେ ବାତ୍ୟାର ପ୍ରଭାବ ବେଶୀ ରହିପାରେ। ଏଣୁ ଏହି ୪ ଜିଲ୍ଲା ଜିଲ୍ଲାପାଳମାନଙ୍କୁ ସତର୍କ ରହିବା ଲାଗି ନିର୍ଦେଶ ଦିଆଯାଇଛି। ୧୯ତାରିଖ ଅପରାହ୍ନ ପରେ ଓଡ଼ିଶାରେ ବର୍ଷା ଓ ପବନର ପ୍ରଭାବ ଅଧିକ ରହିବ।

Leave a comment