ଘଣ୍ଟା ପ୍ରତି ୧୭ କିମି ବେଗରେ ଗତି କରୁଛି ବାତ୍ୟା ଅମ୍ଫାନ୍ : କଚା ଘରକୁ ବିପଦ ବେଶୀ, ଗଛ ପାଖରେ ଡର, ସତର୍କ କଲେ ଏସଆରସି
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବଙ୍ଗୋପସାଗରରେ ଭୟଙ୍କର ରୂପ ନେଇଛି ମହାବାତ୍ୟା ଅମ୍ଫାନ୍ । ସମୁଦ୍ର ଭିତରେ ଏହି ମହାବାତ୍ୟାର ପ୍ରଭାବରେ ପବନର ବେଗ ରହିଛି ୨୨୦ରୁ ୨୪୦ କିଲୋମିଟର । କିନ୍ତୁ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଥିବା ମହାବାତ୍ୟା ଘଣ୍ଟା ପ୍ରତି ୧୭ କିମି ବେଗରେ ଗତି କରୁଛି । ଆଜି ରାତିରୁ ଆସନ୍ତାକାଲି ଅପରାହ୍ଣ ଭିତରେ ଏହା ଉତ୍ତର-ଉତ୍ତର-ପୂର୍ବ ଦିଗରେ ଗତି କରି ପଶ୍ଚିମବଙ୍ଗର ଦୀଘା ଏବଂ ବାଂଲାଦେଶର ହାତିଆ ଦୀପ ଭିତରେ ସୁନ୍ଦରବନ ଆଡ଼କୁ ମୁହାଁଇବ ।
ତେବେ ବାତ୍ୟା ପ୍ରଭାବରେ ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, ଯାଜପୁର ଓ ମୟୂରଭଞ୍ଜ ଜିଲ୍ଲାରେ କଣ କ୍ଷତି ହୋଇପାରେ ସେନେଇ ଏସଆରସିଙ୍କ ତରଫରୁ ସୂଚନା ଦିଆଯାଇଛି ।
ଏସଆରସିଙ୍କ କହିବାନୁସାରେ, ଚାଳଛପର ଆଦି କଚା ଘର ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇପାରେ । ତେବେ ପକ୍କା ଘର ସାମାନ୍ୟ କ୍ଷତିଗ୍ରସ୍ତ ହୋଇପାରେ । ଏପରିକି ଇଲେକ୍ଟ୍ରିକ୍ ପୋଲ୍ ମଧ୍ୟ ଭାଙ୍ଗିଯିବାର ସମ୍ଭାବନା ରହିଛି । କଚା ଓ ପକ୍କା ରାସ୍ତା ମଧ୍ୟ କ୍ଷତିଗ୍ରସ୍ତ ହୋଇପାରେ । ସେହିପରି ରେଳ ଲାଇନ୍, ପାଣିଟାଙ୍କି ମଧ୍ୟ ସାମାନ୍ୟ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି ।
ସ୍ୱତନ୍ତ୍ର ରିଲିଫ କମିଶନର ସମୁଦ୍ର ମଧ୍ୟରେ ମାଛ ମାରିବା ଉପରେ କଟକଣା ଜାରି କରିଛନ୍ତି । ଏହାସହ ପ୍ରଭାବିତ ହେବାକୁ ଥିବା ଅଞ୍ଚଳରେ ଲୋକଙ୍କୁ ଘରେ ରହିବା ପାଇଁ ପରାମର୍ଶ ଦିଆଯାଇଛି ।