୨୦ ତାରିଖରେ ସ୍ଥଳଭାଗ ଛୁଇଁବ ସାମୁନ୍ଦ୍ରିକ ଝଡ଼ ଆମ୍ଫାନ, ଜିରୋ କାଜୁଆଲଟି ପାଇଁ ସରକାର ପ୍ରସ୍ତୁତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ୨୦ ତାରିଖରେ ସ୍ଥଳଭାଗ ଛୁଇଁବ ସାମୁନ୍ଦ୍ରିକ ଝଡ଼ ଆମ୍ଫାନ । ଏହି ସାମୁନ୍ଦ୍ରିକ ଝଡ଼ ପଶ୍ଚିମବଙ୍ଗ ଉପକୂଳ ଦେଇ ଗତି କରିବାର ସମ୍ଭାବନା ରହିଛି । ଏହି ସମୟରେ ପବନର ବେଗ ୧୨୦ରୁ ୧୫୦ କିଲୋମିଟର ରହିବା ନେଇ ଭାରତୀୟ ପାଣିପାଗ ବିଜ୍ଞାନକେନ୍ଦ୍ର ଆକଳନ କରିଛି । ଏହାର ପ୍ରଭାବରେ ୧୮ ତାରିଖରୁ ଓଡିଶା ଉପକୂଳରେ ବର୍ଷା ଆରମ୍ଭ ହେବ । ୧୯ ତାରିଖରେ ଅତିରୁ ଅତିପ୍ରବଳ ବର୍ଷାସହ ସକାଳେ ୪୦ରୁ ୪୫ କିଲୋମିଟର ବେଗରେ ପବନ ବହିବ । ସେହିପରି ୧୯ ତାରିଖ ସନ୍ଧ୍ୟାରୁ ପବନର ବେଗ ବଢି ୭୫ରୁ ୮୫ କିଲୋମିଟର ହୋଇପାରେ । ୨୦ ତାରିଖରେ ଏହା ସ୍ଥଳଭାଗ ଛୁଇଁବ ଓ ସେତେବେଳକୁ ପବନର ବେଗ ୧୨୦ରୁ ୧୫୦ କିଲୋମିଟର ରହିବ ବୋଲି ଭାରତୀୟ ପାଣିପାଗ ବିଜ୍ଞାନକେନ୍ଦ୍ର ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।

ଏହାକୁ ନେଇ ରାଜ୍ୟବାସୀ ଆତଙ୍କିତ ନ ହେବାକୁ ସରକାର ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ଆଜି ବାତ୍ୟାର ମୁକାବିଲା ନେଇ ୧୨ ଜିଲ୍ଲାପାଳଙ୍କ ସହ ଭିଡିଓ କନ୍ସଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି । ରାଜ୍ୟ ସରକାର ଅନେକ ବାତ୍ୟାକୁ ମୁକାବିଲା କରିଛନ୍ତି । ପ୍ରତିଟି ଜୀବନ ମୂଲ୍ୟବାନ । ସରକାର ଜିରୋ କାଜୁଆଲଟି ପାଇଁ ପ୍ରସ୍ତୁତ ରହିଛନ୍ତି । ୨୪ ଘଣ୍ଟିଆ କଟ୍ରେଂଲ ରୁମ୍ ଖୋଲାଯାଇଛି । ୧୨ ଜିଲ୍ଲାରେ ଆଶ୍ରୟ ସ୍ଥଳକୁ ଚିହ୍ନଟ କରାଯାଇଛି । ସେହିଭଳି ମତ୍ସାଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ଏନ୍ଡିଆରଏଫ୍, ଓଡ୍ରାଫ, ଅଗ୍ନିଶମ କର୍ମଚାରୀଙ୍କୁ ସଜାଗ ରଖାଯାଇଛି । ବାତ୍ୟା ବୁଲବୁଲଠାରୁ ‘ଅମ୍ପାନ’ ଭୟଙ୍କର ହେବ । ସେହିଭଳି ବାତ୍ୟା ଫୋନିଠାରୁ କମ ପ୍ରଭାବ ରହିବ ବୋଲି ଏସଆରସି ସୂଚନା ଦେଇଛନ୍ତି । 

Leave a comment