ପିଲାଙ୍କ ଭବିଷ୍ୟତ ସହ ଖେଳ ଖେଳୁଛି ସିୟୁଟିଏମ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ପିଲାଙ୍କ ଭବିଷ୍ୟତ ସହ ଖେଳ ଖେଳୁଛି ସେଞ୍ଚୁରିଅନ ୟୁନିଭରସିଟି ଆଣ୍ଡ ଟେକ୍ନିକାଲ୍ ମ୍ୟାନେଜମେଣ୍ଟ (ସିୟୁଟିଏମ) । ଆଡମିଶନ ପରେ ଛାତ୍ର ଛାତ୍ରୀଙ୍କୁ ବାକି ଟଙ୍କା ପାଇଁ ଚାପ ପ୍ରୟୋଗ କରୁଛି । ଖାଲି ସେତିକି ନୁହେଁ ନାମ ଲେଖା ବାବଦକୁ ଜିଏସଟି ବିଲ୍ ନଦେଇ ଅନ୍ୟ ଏକ ସଂସ୍ଥା ମାଧ୍ୟମରେ ଅଣ ଜିଏସଟି ବିଲ୍ ଛାତ୍ରଛାତ୍ରୀଙ୍କୁ ଦିଆଯାଇଛି । ରାଜ୍ୟ ସରକାର କି ୟୁନିଭରସିଟି ଗ୍ରାଣ୍ଟ କମିଶନ,ଦିଲ୍ଲୀର ଅନୁମତି ନଥାଇ ଏମଏସସି ପାଠ୍ୟକ୍ରମରେ କିଭଳି ଆଡମିଶନ କରାଯାଉଛି ବୋଲି ଜଣେ ଅଭିଭାବକ ତଥା ବରିଷ୍ଠ ସାମ୍ବାଦିକ ବିଶ୍ୱଜିତ ପଟ୍ଟନାୟକ ଅଭିଯୋଗ ଆଣି ଜଟଣୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁସାରେ ସାମ୍ବାଦିକ ବିଶ୍ୱଜିତ ପଟ୍ଟନାୟକଙ୍କ ପୁଅ ଅଭିଜିତ ପଟ୍ଟନାୟକ ଆଡମିଶନ ବାବଦକୁ ୫୩ ହଜାର ୫ଶହ ଟଙ୍କା ଦାଖଲ କରି ସାରିଥିଲେ । ହେଲେ ତାଙ୍କୁ ଜିଏସଟି ବିଲ୍ ଦିଆଗଲା ନାହିଁ। ବଦଳରେ ଗ୍ରାମ ତରଙ୍ଗ ଏମ୍ପଲଏବିଲିଟି ସଂସ୍ଥାର ଅଣ ଜିଏସଟି ବିଲ୍ ପ୍ରଦାନ କରାଯାଇଥିଲା । ଏହା ସେଞ୍ଚୁରିଅନ ୟୁନିଭରସିଟିର ସିସ୍ଟର କନ୍ସର୍ଣ କମ୍ପାନୀ ବୋଲି କୁହାଯାଉଛି । ଯାହାର ମୁଖ୍ୟ ମୁକ୍ତି କାନ୍ତ ମିଶ୍ର ଅଟନ୍ତି । ଅନ୍ୟପଟେ ଆଡମିଶନ ବାବଦ ବାକି ୪୩ ହଜାର ଟଙ୍କାକୁ ଦୁଇଟି କିସ୍ତି ଆକାରରେ ଦିଆଯିବାକୁ କୁହାଯାଉଥିବା ବେଳେ ଆଡମିଶନର ଦୁଇ ମାସ ପରେ ସମସ୍ତ ଟଙ୍କା ତୁରନ୍ତ ଦାଖଲ କରାଯିବାକୁ ଅଭିଜିତଙ୍କ ଉପରେ ଚାପ ପକାଯାଇଥିଲା । ଫଳରେ କୌଣସି ଉପାୟ ନପାଇ ପୁଅକୁ ଅନ୍ୟତ୍ର ଆଡମିଶନ ପାଇଁ ଟିସି ମାଗିଥିଲେ ଶ୍ରୀ ପଟ୍ଟନାୟକ ।
ଟିସିର ଉପରେ ସେଞ୍ଚୁରିଅନ ୟୁନିଭରସିଟି ୟୁଜିସି, ଦିଲ୍ଲୀ ଅନୁମୋଦିତ ବୋଲି ଲେଖାଥିବା ଦେଖିଥିଲେ ଶ୍ରୀ ପଟ୍ଟନାୟକ । କଲେଜର ଏଭଳି ଅବ୍ୟବସ୍ଥାକୁ ଆଖିରେ ରଖି ଶ୍ରୀ ପଟ୍ଟନାୟକ ଦିଲ୍ଲୀ ସ୍ଥିତ ୟୁଜିସି ଅଫିସରେ କଥାହେବା ସହ ଆରଟିଆଇ ମାଧ୍ୟମରେ ଅନୁମୋଦନ ବାବଦ ତଥ୍ୟ ୨୦୨୦ ଜାନୁଆରୀ ୩୦ ତାରିଖରେ ମଗାଇଥିଲେ । ଫେବ୍ରୁଆରି ୨୨ରେ ସିୟୁଟିଏମକୁ ଏମଏସସି ପାଠ୍ୟକ୍ରମ ପାଇଁ ଅନୁମତି ନଥିବା ଆରଟିଆଇ ମାଧ୍ୟମରେ ସ୍ପଷ୍ଟ କରିଥିଲା ୟୁଜିସି । ଅନୁରୂପ ଭାବେ ଉଚ୍ଚ ଶିକ୍ଷା ବିଭାଗ, ଓଡିଶା ସରକାର ମଧ୍ୟ ଭୂବନେଶ୍ବରରେ ଶାଖା ଖୋଲିବାକୁ ଅନୁମତି ଦେଇନଥିବା ଜଣାଇଥିଲେ । ଯାହା ସ୍ପଷ୍ଟ କରୁଛି କି ଅଭିଜିତ ପଟ୍ଟନାୟକଙ୍କ ପରି ଅନେକ ପିଲା ଓ ସେମାନଙ୍କ ଅବିଭାବକଙ୍କୁ ସିୟୁଟିଏମ ଅନ୍ଧାରରେ ରଖି ଆରାମରେ ଠିକ ଚାଲିଛି ।
ସାମ୍ବାଦିକ ଶ୍ରୀ ପଟ୍ଟନାୟକ ସମସ୍ତ ତଥ୍ୟର ଆଧାରରେ ସିୟୁଟିଏମ ଚେୟାରମ୍ୟାନ୍ ମୁକ୍ତିକାନ୍ତ ମିଶ୍ର, ଭାଇଶ୍ଚାନସେଲର ଡଃ ସୁପ୍ରିଆ ପଟ୍ଟନାୟକ, ରେଜିଷ୍ଟାର ଅନିତା ପାତ୍ରଙ୍କ ନାଁରେ ଜଟଣୀ ଥାନାରେ ଏକ ଲିଖିତ ଏତଲା ଦାଏର କରିଥିବା କହିଛନ୍ତି।