ପୁରୀରେ ୩୦ ରାତିରୁ କର୍ଫ୍ୟୁ, ଘରେ ରହି ପ୍ରଭୁଙ୍କ ଦର୍ଶନ ପାଇଁ ଜିଲ୍ଲାପାଳଙ୍କ ନିବେଦନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁରୀରେ ଘୋଷ ଯାତ୍ରା ଭଳି ବାହୁଡା ଯାତ୍ରା ମଧ୍ୟ ବିନା ଭକ୍ତରେ ହେବ। ଶନିବାର ସନ୍ଧ୍ୟାରେ ଜିଲ୍ଲାପାଳ ବଲୱନ୍ତ ସିଂ ଏନେଇ ଏକ ଭିଡିଓ ବାର୍ତ୍ତାରେ ସୂଚନା ଦେଇଛନ୍ତି। ଜୁନ ୩୦ ତାରିଖ ରାତିରୁ ଜୁଲାଇ ୨ ପର୍ଯ୍ୟନ୍ତ ପୁରୀରେ କର୍ଫ୍ୟୁ ଲାଗୁ ହେବ ବୋଲି ସେ ସୂଚନା ଦେଇଛନ୍ତି। ଚଳିତବର୍ଷର ରଥଯାତ୍ରାକୁ ଅବିଶ୍ୱସନୀୟ ଏବଂ ଅଦ୍ଭୁତ ବୋଲି କହିବା ସହ ଜିଲ୍ଲାପାଳ ପୁରୀବାସୀଙ୍କୁ ସେମାନଙ୍କ ସହଯୋଗ ଓ ଅନୁଶାସନ ପାଇଁ ଧନ୍ୟବାଦ ଦେଇଛନ୍ତି। ଜୁଲାଇ ୧ରେ ବାହୁଡା ଯାତ୍ରା, ୨ରେ ସୁନାବେଶ, ୩ରେ ଅଧରପଣା ଓ ୪ରେ ନୀଳାଦ୍ରିବିଜେ ଅନୁଷ୍ଠିତ ହେବାକୁ ଥିବାରୁ ଏହି ୪ ଦିନ ପାଇଁ ଭକ୍ତମାନଙ୍କ ଲାଗି କଟକଣା ରହିବ। ତେଣୁ ଜୁନ ୩୦ ତାରିଖ ରାତି ୧୦ଟାରୁ ଜୁଲାଇ ୨ ତାରିଖ ରାତି ୧୦ ଯାଏଁ ସମ୍ପୂର୍ଣ୍ଣ ଜିଲ୍ଲାରେ କର୍ଫ୍ୟୁ ଏବଂ ସଟ ଡାଉନ ଲାଗୁ ହେବ।
ସେହି ସମୟ ମଧ୍ୟରେ କୌଣସି ଯାନବାହାନ ଚଳାଚଳ କରିବ ନାହିଁ, କେବଳ ସ୍ୱାସ୍ଥ୍ୟ ସେବା ଓ ମେଡିକାଲ ଯିବା ଆସିବା ଭଳି ଜରୁରୀକାଳୀନ ସେବା ଜାରି ରହିବ ବୋଲି ଜିଲ୍ଲାପାଳ କହିଛନ୍ତି। ସେ କହିଛନ୍ତି ଯେ ସେହି ସମୟରେ ସମସ୍ତ ଜିଲ୍ଲାରୁ ପୁରୀ ଜିଲ୍ଲାକୁ ଆସୁଥିବା ସମସ୍ତ ରାସ୍ତା ସିଲ କରାଯିବ। ଅନ୍ୟ ପକ୍ଷରେ ଜିଲ୍ଲାର ସମସ୍ତ ହୋଟେଲ, ଲଜ, ଧର୍ମଶାଳା ଓ ଅନ୍ୟାନ୍ୟ ଅନୁଷ୍ଠାନଗୁଡିକୁ ସେହି ୪ ଦିନ ପାଇଁ କୌଣସି ଲୋକଙ୍କୁ ନ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବଡ ଦାଣ୍ଡରେ ଥିବା ସମସ୍ତ ଦୋକାନ ବନ୍ଦ ରହିବ।