କ୍ରାନିଅମ କେଳେଙ୍କାରୀ-୧, ନା ଅଛି ଘର, ନା ଲାବ, ନା ଭିତ୍ତିଭୂମି: ତଥାପି ଚାଲିଛି କଲେଜ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଉଚ୍ଚଶିକ୍ଷାର ଫୁଙ୍ଗୁଳା ଚିତ୍ର କେଉଁ ଉପାନ୍ତ ଇଲାକାରେ ନୁହେଁ, ବରଂ ଉପକୂଳ ଓଡ଼ିଶାରେ ସାମ୍ନାକୁ ଆସିଛି । ପୁଣି ଶିକ୍ଷାକୁ ନେଇ ଚାଲିଥିବା ବେପାରର ଏକ ଭୟାନକ ଚିତ୍ର ସ୍ପଷ୍ଟ ଭାବେ ଉଭା ହୋଇଛି । ତାହା କେଉଁ ଅଗମ୍ୟ ଇଲାକାରେ ନୁହେଁ, ବରଂ ସମୃଦ୍ଧ ଉପକୂଳ ଓଡ଼ିଶାର ଯାଜପୁର ଜିଲ୍ଲାରେ । ଯେଉଁଠି ଏକ ଆବାସିକ ମହାବିଦ୍ୟାଳୟ ବିନା ଲାବୋରେଟୋରି, ବିନା ଶ୍ରେଣୀ ଗୃହରେ ବର୍ଷ ବର୍ଷ ଧରି ଚାଲିଛି । ପିଲାଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଆଦାୟ ହୋଇ ଶିକ୍ଷା ବେପାର ଚାଲିଥିବା ବେଳେ ଉପରିସ୍ଥ ଅଧିକାରୀମାନେ ଏଥିପ୍ରତି ଆଖିବୁଜି ଦେବା ସମୁଦାୟ ମାମଲାକୁ ଆହୁରି ସନ୍ଦେହରେ ପକେଇ ଦେଇଛି ।
ଯାଜପୁର ଜିଲ୍ଲାରେ ଏକମାତ୍ର ସରକାରୀ କଲେଜ ୧୯୪୪ ମସିହାରୁ ପ୍ରତିଷ୍ଠା ହୋଇଛି । ଏହା ରାଜ୍ୟର ଏକ ଅଗ୍ରଣୀ କଲେଜ ମଧ୍ୟରେ ପରିଗଣିତ । ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ଯେଉଁଠି ସରକାରୀ କଲେଜ ରହିଛି, ସେହି ଛକରେ ହିଁ କ୍ରାନିଅମ ନାମରେ ଏକ ଆବାସିକ ମହାବିଦ୍ୟାଳୟ କାର୍ଯ୍ୟ କରୁଛି । ୨୦୧୪ ମସିହାରୁ ଏହା ଚାଲି ଆସୁଛି । ସରକାରୀ କଲେଜରେ ପିଲା ହେଉ ନଥିବା ବେଳେ କ୍ରାନିଅମ ପରି ଏକ ଆବାସିକ ମହାବିଦ୍ୟାଳୟକୁ ପିଲା କେଉଁଠୁ ଆସୁଛନ୍ତି, ତାହା ଆଶ୍ଚର୍ଯ୍ୟ ସୃଷ୍ଟି କରିଛି । ଏଇ କ୍ରାନିଅମ ଆବାସିକ ମହାବିଦ୍ୟାଳୟରେ ପଢିବା ପାଇଁ ଗାଁ ଗହଳିର ପିଲାଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ନିଆଯାଉଛି ।
ତେବେ ମୁଖ୍ୟ କଥା ହେଉଛି- ଯାଜପୁରର କଲେଜ ଛକରେ ଏକ ଭଡ଼ା ଘରେ ଏହା ଚାଲିଛି । ନା ଶ୍ରେଣୀ ଗୃହ ଅଛି, ନା କୋଣସି ପରୀକ୍ଷାଗାର ଅଛି । କେବଳ ପିଲାଙ୍କୁ ଭୂତେଇ ପଇସା ଆଣି ଶିକ୍ଷା ବେପାର ଏଠାରେ କରାଯାଉଛି । ଏ ସଂପର୍କରେ ବିଭାଗୀୟ ଅଧିକାରୀଙ୍କ ନିକଟରେ କିଛି ମାସ ତଳୁ ଅଭିଯୋଗ କରାଯାଇଛି । କଲେଜର ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକମାନେ ଏପରି ଅଭିଯୋଗ କରିଥିବା ଏକ ସୂତ୍ରରୁ ପ୍ରକାଶ । ମାତ୍ର ବିଭାଗୀୟ ଅଧିକାରୀମାନେ ଜାଣିଶୁଣି ଏହାକୁ ଚାପି ଦେଇଛନ୍ତି ବୋଲି ଅଭିଯୋଗ ହୋଇଛି । କଣ ପାଇଁ ଏକ ଆବାସିକ ଘରୋଇ ଶିକ୍ଷାନୁଷ୍ଠାନକୁ ଏତେ ଅନୁକଂପା ଦେଖାଯାଉଛି, ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଅନ୍ୟପକ୍ଷରେ ଏହି କଲେଜ ପୁଣି ନିଜର ସିଟ୍ ବଢେଇବା ପାଇଁ ବିଭାଗୀୟ ମନ୍ତ୍ରୀଙ୍କ ନିକଟରେ ଆବେଦନ କରିଛନ୍ତି । ଯଦିଓ ଘରୋଇ ଆବାସିକ କଲେଜର ସିଟ୍ ବଢିବ ନାହିଁ ବୋଲି ସରକାରୀ ସ୍ତରରେ ନିଷ୍ପତ୍ତି ନିଆ ସରିଛି, ତେବେ ଏହି କଲେଜ ଗଳା ବାଟ ଧରି ମନ୍ତ୍ରୀଙ୍କ ପାଖରୁ ସିଟ୍ ବଢେଇବାକୁ ଷଡ଼ଯନ୍ତ୍ର କରିଛି । ଏହି ସିଟ୍ ବଢିବା ପାଇଁ ଯଦି ବିଭାଗୀୟ ମନ୍ତ୍ରୀ ଅନୁମତି ଦିଅନ୍ତି, ତେବେ ଏହା ଶିକ୍ଷା ବେପାର ଓ ଛାତ୍ରଛାତ୍ରୀଙ୍କୁ ପୁଣି ଥରେ ଲୁଟିବା ପାଇଁ ରାସ୍ତା ଖୋଲିଦେବ ବୋଲି ଅଭିଯୋଗ ହୋଇଛି ।
ତେଣୁ ବିନା ଶ୍ରେଣୀ ଗୃହ, ଲାବୋରେଟୋରୀ ଓ କୌଣସି ଭିତ୍ତିଭୂମିରେ ଚାଲିଥିବା ଏହି କଲେଜର ସ୍ୱୀକୃତି ତୁରନ୍ତ ପ୍ରତ୍ୟାର ପାଇଁ ଦାବି ହୋଇଛି । ନ ହେଲେ ଏହା ଛାତ୍ରଛାତ୍ରଙ୍କ ଭବିଷ୍ୟତକୁ ନଷ୍ଟ କରିବ ଓ ଶିକ୍ଷା ବେପାର ପାଇଁ ରାସ୍ତା ଫିଟେଇବ ବୋଲି ସ୍ଥାନୀୟ ଅଞ୍ଚଳର ଜଣେ ଅଭିଭାବକ କହିଛନ୍ତି ।