ମାତ୍ର ୨୨୫ ଟଙ୍କାରେ ସାରା ବିଶ୍ୱକୁ କରୋନା ଟୀକା ଯୋଗାଇବ ଭାରତୀୟ କମ୍ପାନୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ସାରା ବିଶ୍ୱକୁ କରୋନା ଟୀକା ଯୋଗାଇବ ଭାରତୀୟ କମ୍ପାନୀ। ସର୍ବ ବୃହତ ଟିକା ଉତ୍ପାଦନକାରୀ ପୁଣେ ସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ, କହିଛି ଯେ ଏହାର କରୋନା ଜୀବାଣୁ ଟିକା ର ଗୋଟିଏ ମାତ୍ର ଡୋଜ ତିନି ଡଲାର (ପ୍ରାୟ ୨୨୬ ଟଙ୍କା) ହେବ । କମ୍ପାନୀ ଭାରତ ଏବଂ ଭାରତ ଭଳି ସ୍ୱଳ୍ପ ଏବଂ ମଧ୍ୟମ ଆୟ ଦେଶ ପାଇଁ ୧୦୦ ନିୟୁତ(୧୦ କୋଟି) କରୋନା ଟିକା ଉତ୍ପାଦନ କରିବ । ଏଥିପାଇଁ କମ୍ପାନୀ ଗାଭି ଭ୍ୟାକ୍ସିନ୍ ଅର୍ଗାନାଇଜେସନ୍ ଏବଂ ବିଲ୍ ଏବଂ ମିଲିଣ୍ଡା ଗେଟ୍ସ ଫାଉଣ୍ଡେସନ୍ ସହିତ ବୁଝାମଣା କରିଛି, ଯାହା ଅଧୀନରେ କମ୍ପାନୀକୁ ୧୫୦ ମିଲିୟନ୍ ଡଲାର୍ (ପ୍ରାୟ ୧,୧୨୫ କୋଟି ଟଙ୍କା) ସହାୟତା ରାଶି ମିଳିବ ।
ଗାଭି ଟିକା ସଂଗଠନ ହେଉଛି ଏକ ସରକାରୀ-ବେସରକାରୀ ବିଶ୍ୱ ସ୍ୱାସ୍ଥ୍ୟ ସହଭାଗୀତା ଯାହା ମିଳିତ ଜାତିସଂଘ ଦ୍ୱାରା ସମର୍ଥିତ, ଏହା ଗରିବ ଦେଶରେ ଟୀକାକରଣ ବୃଦ୍ଧି କରିବା ନେଇ କାର୍ଯ୍ୟ କରିଥାଏ। ଗେଟସ୍ ଫାଉଣ୍ଡେସନ୍ ଗାଭିଙ୍କୁ ପାଣ୍ଠି ଯୋଗାଇବ, ଯାହା ସେରମ୍ କମ୍ପାନୀକୁ ଦିଆଯିବ।
SII ସିଇଓ ଅଦାର ପୁନାୱାଲା କହିଛନ୍ତି, ‘କରୋନା ବିରୁଦ୍ଧରେ ଆମର ସଂଗ୍ରାମକୁ ଅଧିକ ଦୃଢ ତଥା ସର୍ବବ୍ୟାପୀ କରିବା ପାଇଁ SII ୨୦୨୧ ମସିହାରେ ଭାରତ ଏବଂ ସ୍ୱଳ୍ପ ଏବଂ ମଧ୍ୟମ ଆୟ ଦେଶ ପାଇଁ ୧୦ କୋଟି କରୋନା ଡୋଜ ଉତ୍ପାଦନ ଆରମ୍ଭ କରିଛି ଏବଂ ବଣ୍ଟନ ପାଇଁ ଗାଭି ଏବଂ ଗେଟ୍ସ ଫାଉଣ୍ଡେସନ୍ ସହିତ ସହଭାଗୀ ଅଛି ।
ପୁଣେ ଭିତ୍ତିକ SII ମଧ୍ୟ ଆଷ୍ଟ୍ରା ଜେନେକାର କରୋନା ଟିକାର ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ୍ ପରୀକ୍ଷା ବର୍ତ୍ତମାନ କରୁଛି। ଗତ ସପ୍ତାହରେ ହିଁ ଏହି ପରୀକ୍ଷା କରିବାକୁ କମ୍ପାନୀ ଭାରତର ଡ୍ରଗ୍ ରେଗୁଲେଟରଙ୍କଠାରୁ ଅନୁମତି ପାଇଥିଲା ।