ପୁଣିଥରେ ଚିନ୍ତା ବଢ଼ାଇଲାଣି କରୋନା

0

ପୁଣିଥରେ କରୋନା ସଂକ୍ରମଣ ବୃଦ୍ଧି ଖାଲି ବିଶ୍ୱ ନୁହେଁ ଭାରତ ପାଇଁ ମଧ୍ୟ ଚିନ୍ତା ବଢ଼ାଇଛି। ଗତ କିଛିଦିନ ମଧ୍ୟରେ କରୋନା କେସ୍‌ ହ୍ରାସ ପାଇଥିବାରୁ ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଥିଲା। ହେଲେ ଏବେ ଚୀନ, ଜାପାନ, ଆର୍ଜେଣ୍ଟିନା, ଦକ୍ଷିଣ କୋରିଆ, ଆମେରିକା ଓ ବ୍ରାଜିଲରେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି।

ଯେଉଁଭଳି ଭାବେ ସଂକ୍ରମଣ ବୃଦ୍ଧି ପାଉଛି ଏହାଦେଖି ଭାରତ ସଜାଗ ହୋଇଛି।

ଚୀନ୍‌ରେ କରୋନାର ବିସ୍ଫୋରଣ ପରେ ଭାରତ ସଜାଗ ହୋଇଛି। ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ ବରିଷ୍ଠ ଅଧିକାରୀଙ୍କ ସହ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଦେଶର କରୋନା ମହାମାରୀ ସ୍ଥିତିର ସମୀକ୍ଷା କରିଛନ୍ତି। ସମୀକ୍ଷା ପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ କରୋନାର ଭୟାବହତା ସମ୍ପୂର୍ଣ୍ଣ ଦୂର ହୋଇନି। ତେଣୁ ସମସ୍ତଙ୍କୁ ସତର୍କ ରହିବାକୁ ପଡ଼ିବ। ଦେଶରେ ସର୍ଭେଲାନ୍ସ ବଢାଇବାକୁ ନିର୍ଦ୍ଦେଶ ଦେବା ସହ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ଚୀନରେ କରୋନା ସଂକ୍ରମଣ ମାମଲା ବୃଦ୍ଧିର କାରଣ ଓମିକ୍ରନ୍‌ର BF.7 ଭାରିଏଣ୍ଟ (BF.7 variant of Omicron) କୁହାଯାଉଥିବା ବେଳେ ୪ କେସ୍‌ ଭାରତରେ ମଧ୍ୟ ଚିହ୍ନଟ କରାଯାଇଛି। ସେପଟେ କରୋନା ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସମୀକ୍ଷା ବୈଠକ କରିବେ। ଆଜି ଅପରାହ୍ନରେ ପ୍ରଧାନମନ୍ତ୍ରୀ ମୋଦି କରିବେ ଏକ ଉଚ୍ଚସ୍ତରୀୟ ବୈଠକ ଡକାଇଛନ୍ତି।

ଗୁଜରାଟର ୬୧ ବର୍ଷୀୟ NRI ମହିଳା କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେ ଭ୍ୟାକ୍ସିନ୍‌ର ୩ ଡୋଜ୍‌ ମଧ୍ୟ ନେଇ ସାରିଛନ୍ତି। କରୋନା ଭାଇରସ୍‌ ଲଗାତାର ଭାବେ ମ୍ୟୁଟେଟ୍‌ ହେଉଥିବାରୁ ଏହାର ଲକ୍ଷଣ ମଧ୍ୟ ପରିବର୍ତ୍ତନ ହେଉଛି। ଏମିତି ଅନେକ କେସ୍‌ ସାମ୍ନାକୁ ଆସିଛି, ଯେଉଁଠି ଭ୍ୟାକ୍ସିନ୍‌ ନେବା ପରେ ମଧ୍ୟ ଲୋକେ ପଜିଟିଭ୍‌ ଚିହ୍ନଟ ହେଉଛନ୍ତି। ଅନେକ ଲକ୍ଷଣ ଅଛି, ଯାହାକୁ ସାମାନ୍ୟ ଭାବି ଆମେ ଅଣଦେଖା କରି ଦେଇଥାଉ। ହେଲେ ପରେ ଏହା କରୋନା ଲକ୍ଷଣ ବୋଲି ଜଣାପଡ଼େ।

 

Leave a comment