ଲୋକେ ସଚେତନ ନ ରହିଲେ ସ୍ଥିତି ବିଗିଡିବ, କଣ୍ଟେନମେଣ୍ଟ ପଦକ୍ଷେପ ନେବାକୁ ବାଧ୍ୟ ହେବେ ସରକାର : ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ହେବା ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି, ସୁନ୍ଦରଗଡ ସ୍କୁଲ ହଷ୍ଟେଲରେ ୬ଶହ ପିଲାଙ୍କ ଭିତରୁ ପ୍ରଥମେ ୩ ଜଣ ଛାତ୍ରୀ ସଂକ୍ରମିତ ହୋଇଥିଲେ । କଣ୍ଟାକ୍ଟ ଟ୍ରେସିଂ ପରେ ୪ ଦିନ ଭିତରେ ଏହି ସଂଖ୍ୟା ପାଖାପାଖି ୫୦ରେ ପହଞ୍ଚିଛି । କେବଳ ପ୍ରଥମ ୩ ଜଣଙ୍କ ନିକଟରେ ଲକ୍ଷଣ ରହିଛି । ଅନ୍ୟମାନେ ଲକ୍ଷଣହୀନ । ଲକ୍ଷଣହୀନ ଛାତ୍ରୀଙ୍କୁ ସଂଗରୋଧରେ ରଖାଯାଇଛି । ପୁନଶ୍ଚ କଣ୍ଟାକ୍ଟ ଟ୍ରେସିଂ ଚାଲିଛି । କେହି ଗୁରୁତର ନାହାନ୍ତି । ସ୍ଥାନୀୟ ପ୍ରଶାସନ ଏହା ଉପରେ ନଜର ରଖିଛନ୍ତି । ଯଦି ଲୋକମାନେ ସଚେତନ ନ ରହିବେ, ଆଗକୁ ସ୍ଥିତି ବିଗିଡ଼ିବ, କଡ଼ା ପଦକ୍ଷେପ ନିଆଯାଇପାରେ । କଣ୍ଟେନମେଣ୍ଟ ପଦକ୍ଷେପ ନେବାକୁ ସରକାର ବାଧ୍ୟ ହେବେ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।