କନେଷ୍ଟବଲ ଓ ହାବିଲଦାର ମାନୁନାହାନ୍ତି ବଦଳି ନିର୍ଦ୍ଦେଶକୁ !

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ କମିଶନରେଟ ପୋଲିସରେ ଉପରୁ ତଳ ଯାଏଁ କର୍ମଚାରୀଙ୍କୁ ବଦଳି କରାଯାଇଛି । ଏସିପି, ଇନ୍ସପେକ୍ଟର ଓ ଏସଆଇ ସମସ୍ତେ ରିଲିଭ ହୋଇ ବଦଳି ସ୍ଥାନରେ ଯୋଗ ଦେଇ ସାରିଲେଣି । ହେଲେ ଏଏସଆଇ, ହାବିଲଦାର ଓ କନେଷ୍ଟବଲ ପୋଲିସ କମିଶନରେଟର ବଦଳି ନିର୍ଦ୍ଦେଶକୁ ମାନୁ ନଥିବା ଅଭିଯୋଗ ହେଉଛି । କିଛି କନେଷ୍ଟବଳ ରିଲିଭ ହୋଇଥିବା ବେଳେ ଏବେ ୧୫୦ରୁ ଅଧିକ ଯାଗା ଛାଡୁ ନାହାନ୍ତି । ଏହାକୁ ନେଇ ପୋଲିସ ମହଲରେ ଅସନ୍ତୋଷ ପ୍ରକାଶ ପଇଥିବା ବେଳେ ନିର୍ବାଚନ କମିଶନଙ୍କ ନିୟମ କାର୍ଯ୍ୟକରି ନେଇ ପ୍ରଶ୍ନ ଉଠିଛି ।

ସୂଚନାଯୋଗ୍ୟ, ନିର୍ବଚନ କମିଶନଙ୍କ ନିୟମ ଅନୁସାରେ ପୋଲିସ ମହଲରେ ବଦଳି ପକ୍ରିୟା ଜୋରଦାର ଚାଲିଛି। ଏସପିଙ୍କ ଠାରୁ ଆରମ୍ଭ କରି ଏଏସଆଇ ପର୍ଯ୍ୟନ୍ତ ସବୁସ୍ତରରେ ବଦଳି କରାଯାଉଛି । ଏପରି କି କୌଣସି ଅଫିସରଙ୍କୁ ଅଫିସରେ ମଧ୍ୟ ରଖାଯାଉ ନାହିଁ ।

ନିର୍ବାଚନ ଲାଗି ଚଳିତମାସ ପ୍ରଥମସପ୍ତାହରୁ ନିୟମିତ ଭାବେ ବଦଳି ପ୍ରକିୟା ଜାରି ରହିଥିଲା । ବିଶେଷ କରି କମିଶନରେଟରେ ୧୫ରୁ ଅଧିକ ଅତିରିକ୍ତ ଡିସିପି, ୨୩ରୁ ଅଧିକ ଏସିପି ଓ ୩୦ରୁ ଅଧିକ ଇନ୍ସପେକ୍ଟରଙ୍କୁ ଅଦଳବଦଳ କରାଯାଇଛି । ସେହିପରି ସବ-ଇନ୍ସପେକ୍ଟର ଓ ଏଏସଆଇସ୍ତରରେ ମଧ୍ୟ ବ୍ୟାପକ ବଦଳବଦଳ କରାଯାଇଛି । ହେଲେ ଦୀର୍ଘଦିନ ଧରି ଗାଦିମାଡି ବସିଥିବା ହାବିଲଦାର ଓ କନେଷ୍ଟବଲ ସ୍ତରରେ ଅଦଳବଦଳ କରାଗଲା ନାହିଁ। ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ୨୦୦ରୁ ଅଧିକ ହାବିଲଦାର, କନଷ୍ଟେବଲ ଓ ଏଏସଆଇଙ୍କୁ ବଦଳି କରାଗଲା, କିନ୍ତୁ ସେମାନେ ଯାଗା ଛାଡୁ ନାହାନ୍ତି।

ତଥ୍ୟ ଅନୁସାରେ ଭୁବନେଶ୍ୱରରେ ପାଖାପାଖି ୧୨୦ଜଣ କନେଷ୍ଟବଲ ଓ ହାବିଲଦାର ୫ବର୍ଷରୁ ଅଧିକ ଲେଖାଏ ଗୋଟିଏ ଜାଗାରେ କାର୍ଯ୍ୟ କରୁଛନ୍ତି । ଏପରିକି ବଦଳି ଅର୍ଡର ହେଉଥିଲେ ମଧ୍ୟ ସେମାନେ ଜାଗା ଛାଡୁ ନାହାନ୍ତି । ଗୋଟିଏ ଜାଗାରେ ଗାଦି ମାଡି ବସି ସ୍ୱାର୍ଥ ହାସଲ କରିବାରେ ଲାଗିଛନ୍ତି । ତେଣୁ ଏମାନଙ୍କୁ ତୁରନ୍ତ ବଦଳି କରିବାକୁ ଦାବି ହେଉଛି ।

Leave a comment