ପ୍ରବାସୀ ଶ୍ରମିକଙ୍କ ରେଳଯାତ୍ରା ଖର୍ଚ୍ଚ ବହନ କରିବ କଂଗ୍ରେସ : ସୋନିଆ ଗାନ୍ଧୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରତ୍ୟେକ ଗରିବ ପ୍ରବାସୀ ଶ୍ରମିକଙ୍କ ରେଳ ଯାତ୍ରା ବାବଦ ଖର୍ଚ୍ଚ କଂଗ୍ରେସ ବହନ କରିବ। ସୋମବାର ସକାଳେ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏକ ଲିଖିତ ବିବୃତିରେ ଏପରି କହିଛନ୍ତି।
ସେଥିରେ ଉଲ୍ଲେଖ କରାଯାଇଛି ଯେ,ପ୍ରତ୍ୟେକ ଗରିବ ଓ ପ୍ରବାସୀ ଶ୍ରମିକଙ୍କ ଘର ବାହୁଡ଼ା ରେଳ ଯାତ୍ରା ବାବଦ ଖର୍ଚ୍ଚ ପ୍ରତି ପ୍ରଦେଶ କଂଗ୍ରେସ କମିଟି ବହନ କରିବ। ଏହାସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ କଂଗ୍ରେସ ନି‌ଷ୍ପତ୍ତି ଗ୍ରହଣ କରିଛି। କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି ସୋନିଆ କହିଛନ୍ତି ଯେ, କଂଗ୍ରେସର ବାରମ୍ବାର ଦାବିସତ୍ତ୍ବେ କେନ୍ଦ୍ରସରକାର ଓ ରେଳ ମନ୍ତ୍ରାଳୟ ପ୍ରବାସୀ ଶ୍ରମିକଙ୍କ ମାଗଣା ଘରବାହୁଡ଼ା କଥାକୁ ‌ଉପେକ୍ଷା କରି ଦେଇଛନ୍ତି।

ଏଇ ସଂକଟଜନକ ପରିସ୍ଥିତିରେ କେନ୍ଦ୍ର ସରକାର ଓ ରେଳବାଇ ପ୍ରବାସୀ ଶ୍ରମିକଙ୍କ ଠାରୁ ଟିକେଟ ବାବଦରେ ଅର୍ଥ ନେବା ଚିନ୍ତାର କାରଣ। ସେ ଆହୁରି କହିଛନ୍ତି ଯେ ଆମ ସରକାରଙ୍କର ଦାୟିତ୍ବ କ’ଣ? ଆଜି ମଧ୍ୟ ଲକ୍ଷଲକ୍ଷ ଶ୍ରମଜୀବୀ ଓ ପ୍ରବାସୀ ଶ୍ରମଜୀବୀ ଦେଶର ବିଭିନ୍ନ ଅଞ୍ଚଳରେ ଦୁର୍ଦ୍ଦଶା ଭୋଗୁଛନ୍ତି। ସେମାନେ ତାଙ୍କ ଘର ଓ ପରିବାର ପାଖକୁ ଫେରି ଆସିବାକୁ ଇଚ୍ଛା କରୁଛନ୍ତି। କିନ୍ତୁ, ସେମାନଙ୍କ ପାଖରେ ଯଥେଷ୍ଟ ଅର୍ଥ ନାହିଁ କି, ମାଗଣଯାତ୍ରା ପାଇଁ ସୁବିଧା ମଧ୍ୟ ନାହିଁ।

Leave a comment