କାର୍ଯ୍ୟାନୁଷ୍ଠାନ ନହେଲେ କମିଶନର ଙ୍କୁ ହେବ ଅଣ୍ଡାମାଡ: ତାରାବାହିନୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୋଲିସ କଂଗ୍ରେସ ଭବନରେ ପସି ଛାତ୍ର କଂଗ୍ରେସ ପିଲା ମାନଙ୍କୁ ମାଡ଼ ମାରିଥିବା ଘଟଣାକୁ ବିରୋଧ କରି ଆଜି କଂଗ୍ରେସ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଏସପି ଅଫିସ ଘେରାଉ କରାଯାଇଥିଲା । କଂଗ୍ରେସ ବିଧାୟକ ତାରବହିନୀ ପତି ଏହାକୁ ଘୋର ନିନ୍ଦା କରିବା ସହ କହିଥିଲେ ” ନିଶ୍ଚିତ ଭାବରେ ନବୀନ ବାବୁଙ୍କର ନିର୍ଦ୍ଦେଶରେ ବିଜୁ ଜନତା ଦଳର ନିର୍ଦ୍ଦେଶ ରେ ଯେପରି ଭାବରେ କଂଗ୍ରେସର ମନ୍ଦିର କଂଗ୍ରେସ ଭବନରେ ପଶି ଛାତ୍ର କଂଗ୍ରେସର ପିଲା ମାନଙ୍କୁ ପୋଲିସ ନିସ୍ତୁକ ପ୍ରହାର କରିଛି ଏବଂ ଯେପରି ମାତ୍ରାଧିକ କାର୍ଯ୍ୟ କରିଛି ତାକୁ ପ୍ରତିବାଦ କରି ରାଜ୍ୟର ପ୍ରତେକ ଏସପି ଅଫିସ ଆଗରେ ଆଜି ଆନ୍ଦୋଳନ କରାଯାଉଛି । ତୁରନ୍ତ ହାଇକୋଟ ଜଜ୍ ଙ୍କ ଦ୍ଵାରା ଏହାର ତଦନ୍ତ କରାଯାଉ ଏବଂ ଯଦି ଛାତ୍ର କଂଗ୍ରେସ ପଥର ମାରିଥିବା ପ୍ରମାଣିତ ହୁଏ ତେବେ ମୁଁ ରାଜନୀତି ରୁ ଇସ୍ତଫା ଦେବି । ଯଦି କଂଗ୍ରେସ ଭବନରେ ପସି ଛାତ୍ର କଂଗ୍ରେସ ପିଲାଙ୍କୁ ପୋଲିସ ପଥର ମାରିଥିବା ଆମେ ପ୍ରମାଣିତ କରିବୁ ତେବେ ପୋଲିସ ସିପି ପ୍ରିୟଦର୍ଶିନୀ ବାବୁ ପୋଲିସ ଚାକିରୀ ଛାଡ଼ି ରାଜନୀତି କୁ ଆସିବେକି? ବିଜୁ ଜନତା ଦଳରୁ ଛିଡା ହେବେ କି? ସେ ଯେଉଁ ସ୍ଥାନରୁ ଛିଡା ହେବେ ମୁଁ ତାଙ୍କ ବିପକ୍ଷରେ ଛିଡା ହେବି । ଜଣେ ଆଇପିଏସ ଅଫିସର ରାଜନୀତି କରି ପଥର ମରାଇବେ ଓ ମିଡ଼ିଆ ଆଗରେ ମିଛ ବୟାନ ଦେବେ ତେବେ ନବୀନ ବାବୁଙ୍କ ଚାମଚା ଙ୍କୁ କଂଗ୍ରେସ ବରଦାସ୍ତ କରିବନି । ଏହି ପରିପେକ୍ଷିରେ ଆମେ ରାଜ୍ୟପାଳ ଙ୍କୁ ଚିଠି ପଠାଇଛୁ । ଆମେ ଆଗାମୀ ଦିନରେ ନିଶ୍ଚିତ ଭାବେ କମିଶନର ଅଫିସ ଘେରାଉ କରିବୁ । ଏହାସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ସ୍ଥାନକୁ ଯିବେ ଆମେ ସେହି ସ୍ଥାନକୁ ଯିବୁ ଏବଂ ଯଦି ସରକାର ତୁରନ୍ତ କୌଣସି ନିଷ୍ପତ୍ତି ନ’ ନିଅନ୍ତି ତେବେ ପ୍ରିୟଦର୍ଶିନୀ ବାବୁ କଟକ, ଭୁବନେଶ୍ୱର ଯେଉଁ ସ୍ଥାନକୁ ଯିବେ ତାଙ୍କୁ ଅଣ୍ଡାମାଡ କରିବୁ “।

ସୂଚନା ଅନୁଯାୟୀ, ଗତ ୧୦ ତାରିଖ ବିଧାନସଭା ଘେରାଉରେ ଆନ୍ଦୋଳନରତ ଛାତ୍ରକଂଗ୍ରେସ କର୍ମୀମାନଙ୍କୁ କଂଗ୍ରେସ ଭବନ ପରିସରରେ ପୋଲିସ୍‌ର ବର୍ବରୋଚିତ ଆକ୍ରମଣ ପ୍ରତିବାଦରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ଆଜି ସାରା ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଏସିପି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ କାର୍ଯ୍ୟକ୍ରମ କରାଯାଇଛି । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାସଙ୍କ ନିର୍ଦ୍ଦେଶକ୍ରମେ ପ୍ରଦେଶ କଂଗ୍ରେସ ସମ୍ପାଦକ ଶ୍ରୀ ସୁବ୍ରତ ମହାପାତ୍ର ଓ ବ୍ଲକ୍ ସଭାପତି ଶ୍ରୀ ଅଶୋକ ଦାସଙ୍କ ନେତୃତ୍ୱରେ ହଜାରରୁ ଉର୍ଦ୍ଧ୍ୱ ସଂଖ୍ୟକ କଂଗ୍ରେସ କର୍ମୀ ଆଜି ଭୁବନେଶ୍ୱର ଡିସିପି ଅଫିସ୍ ସମ୍ମୁଖରେ ଧାରଣା ଓ ବିକ୍ଷୋଭ କରିଥିଲେ ।

ଏହି ଧାରଣାରେ ଯୋଗଦେଇ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ କହିଥିଲେ ଯେ ଆନ୍ଦୋଳନର ଛାତ୍ର କଂଗ୍ରେସ କର୍ମୀଙ୍କୁ କଂଗ୍ରେସ ଭବନ ପରିସରରେ ପୋଲିସ୍‌ର ଅମାନୁଷିକ ଓ ବର୍ବରୋଚିତ ଆକ୍ରମଣ ନିନ୍ଦନୀୟ ଏବଂ ଡିସିପି ଏହି ବିଷୟରେ ଅବଗତ ନୁହଁନ୍ତି ବୋଲି ମନ୍ତବ୍ୟ ଦେବା ଲଜ୍ଜାଜନକ ବିଷୟ । ସେହିପରି ଧାରଣାରେ ଯୋଗ ଦେଇଥିବା ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ବିଧାୟକ ସୁରେଶ କୁମାର ରାଉତରାୟ, ଉପସଭାପତି ଶିବାନନ୍ଦ ରାୟ, ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ସୟଦ ୟାସିର ନୱାଜ୍‌, ସାଧାରଣ ସମ୍ପାଦକ କିଶୋର ଜେନା ପ୍ରମୁଖ ତାଙ୍କ ଭାଷଣରେ ବିଜେଡି ସରକାର ଓ ପୋଲିସ୍ ପ୍ରଶାସନକୁ ଦୃଢ଼ ନିନ୍ଦା ଓ ଭର୍ତ୍ସନା କରିଥିଲେ ।

ଜିଲ୍ଲା କଂଗ୍ରେସର ଏକ ୧୧ ଜଣିଆ ପ୍ରତିନିଧି ଦଳ ଡିସିପିଙ୍କୁ ଭେଟି ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ୪ ଦଫା ଦାବିପତ୍ର ପ୍ରଦାନ କରିଥିଲେ । ଦାବି ଗୁଡ଼ିକ ଥିଲା :

* ହାଇକୋର୍ଟରେ କାର୍ଯ୍ୟରତ ଜଜ୍‌ଙ୍କ ତତ୍ତ୍ୱାବଧାନରେ ମମିତା ମେହେର ହତ୍ୟାକାଣ୍ଡର ଏସ୍‌.ଆଇ.ଟି. ତଦନ୍ତ ।
* ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ଗିରଫ ।
* କଂଗ୍ରେସ ଭବନରେ ପୋଲିସ୍‌ର ଅନୈତିକ ପ୍ରବେଶ, ଭଙ୍ଗାରୁଜା, ଛାତ୍ର କଂଗ୍ରେସ କର୍ମୀଙ୍କୁ ନିର୍ମମ ଆକ୍ରମଣର ବିଚାର ବିଭାଗୀୟ ତଦନ୍ତ ।
* ଆନ୍ଦୋଳନ ସମୟରେ କାର୍ଯ୍ୟରତ ପୋଲିସ୍ ଅଫିସରମାନଙ୍କର ଇଚ୍ଛାକୃତ ଅବହେଳା ପାଇଁ ସେମାନଙ୍କ ଉପରେ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ।

Leave a comment