ମହାପ୍ରଭୂ ଜଗନ୍ନାଥଙ୍କ ନାଁ ନେଇ ଲୋକଙ୍କୁ ଭୋଟ ମାଗୁଛନ୍ତି,ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ତ୍ରିସ୍ତରୀୟ ପଂଚାୟତକୁ ନେଇ ରାଜନୈତିକ ପାଣିପାଗ ସରଗରମ ହୋଇଛି । ସମସ୍ତ ରାଜନୈତିକ ଦଳ ନିଜ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ପ୍ରଚାର କରୁଛନ୍ତି । ଏହି ପରିପ୍ରେକ୍ଷୀରେ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ ମହାପ୍ରଭୂ ଜଗନ୍ନାଥଙ୍କ ନାଁ ନେଇ ଲୋକଙ୍କୁ ଭୋଟ ମାଗୁଛନ୍ତି । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ବିରୋଧି କଂଗ୍ରେସ ବିଜେଡିକୁ କଟାକ୍ଷ କରିବା ସହ ଘଟଣାର ତଦନ୍ତ ଦାବି କରିଛି ।
ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନିର୍ବାଚନ ମିଡିଆ ଇନଚାର୍ଜ ତଥା ପ୍ରଦେଶ କଂଗ୍ରେସ ମୁଖପାତ୍ର ମନୋଜ ମହାପାତ୍ର କହିଲେ ଯେ, ଜୟପୁରର ପୂର୍ବତନ ବିଧାୟକ ତଥା ଦୁର୍ନୀତି ଅଭିଯୋଗରେ ତଡ଼ାଖାଇଥିବା ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ ଏକ ନିର୍ବାଚନୀ ସଭାରେ ଭାଷଣ ଦେଉଥିବା ଏକ ଭିଡିଓ ଆମର ହସ୍ତଗତ ହୋଇଛି । ନନ୍ଦ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମନ୍ଦିର ଯାଇ ପୂଜା କରିଛନ୍ତି, ପୂଜାପରେ ଏ ଆଜ୍ଞାମାଳ ଆଣିଛନ୍ତି ଓ ଏହି ଆଜ୍ଞାମାଳ ଏଇଠିକି ପଠାଇଛନ୍ତି । ଉପସ୍ଥିତ ଜନସାଧାରଣ ଏ ଆଜ୍ଞାମାଳ ଛୁଇଁ ଶପଥ କରି କୁହ ବିଜେଡ଼ି ଦଳକୁ ଭୋଟ ଦବ ।
ଆମେ ଜାଣୁ ମାନ୍ୟବର ମୁଖ୍ୟମନ୍ତ୍ରୀ ୨୦୧୧ ଜନଗଣନାରେ କହିଥିଲେ ସେ ଓଡ଼ିଆ ଜାତିର ଜଣେ ସାଧାରଣ ମଣିଷ । ମାନବ ସେବା ତାଙ୍କ ଧର୍ମ । ଧର୍ମନିରପେକ୍ଷ ନେତା ଭାବେ ସାରା ଭାରତ ବର୍ଷରେ ଖ୍ୟାତି ଅର୍ଜ୍ଜନ କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଆଙ୍କର ଆରାଧ୍ୟ ଦେବତା ଜଗନ୍ନାଥଙ୍କର ଭକ୍ତ ହେଇପାରନ୍ତି, କିନ୍ତୁ ସେ କେବେବି ଧର୍ମାନ୍ଧ ନୁହନ୍ତି । ତାଙ୍କ ନାମ ନେଇ ଜଗନ୍ନାଥଙ୍କର ଦ୍ୱାହୀ ଦେଇ ଧର୍ମୀୟ ଭାବନାର କୁଠାରଘାତ କରି ସରଳ ଆଦିବାସୀଙ୍କ ପାଖରେ ମିଚ୍ଛତଥ୍ୟ ଉପସ୍ଥାପନା କରିଥିବା ଶ୍ରୀ ନନ୍ଦଙ୍କ ବିରୋଧରେ ଫୌଜଦାରୀ ମୋକଦମା କରିବା ସହ ତାଙ୍କୁ ଗିରଫ କରାଯାଉ ।
ବିଜୁ ଜନତାଦଳ ଏହାର ସ୍ପଷ୍ଟିକରଣ ଦେବାସହ ମୁଖ୍ୟମନ୍ତ୍ରୀଙ୍କ ନାମ ନେଇ ମିଥ୍ୟା ପ୍ରଚାର କରିଥିବା ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅପମାନସୂଚକ ଭାବେ ତୁ ତଡ଼ାକ ଭଳି ଶବ୍ଦ ପ୍ରୟୋଗ କରି ଅସମ୍ମାନ କରିଥିବା ଏହି ବିଜେଡ଼ି ନେତାଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ନେବ ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ମହାପାତ୍ର ।