କଂଗ୍ରେସ ବିଧାୟକ ଯୋଗେଶ ସିଂ ନିଲମ୍ବିତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତକାଲି ଝାରସୁଗଡ଼ା କଂଗ୍ରେସ ବିଧାୟକ ନବ ଦାସ ଦଳ ଛାଡ଼ିଥିବା ନେଇ ଚର୍ଚ୍ଚା ଥମିନଥିବା ବେଳେ ଆଜି ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ଏଆଇସିସି ଅନୁମୋଦନ କ୍ରମେ ଯୋଗେଶଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ଏ ସମ୍ପର୍କରେ କଂଗ୍ରେସ ଶୃଙ୍ଖଳା କମିଟି ଆବାହକ ଅନନ୍ତ ପ୍ରସାଦ ସେଠୀ ଏକ ପ୍ରେସ୍ ବିବୃତ୍ତି ଯୋଗେ ସୂଚନା ଦେଇଛନ୍ତି । ଗଣମାଧ୍ୟମ ଆଗରେ ବାରମ୍ବାର ଦଳ ବିରୋଧୀ ମତ ଦେଉଥିବାରୁ ଯୋଗେଶଙ୍କୁ ନିଲମ୍ବିତ କରାଯାଇଥିବା ପ୍ରେସ୍ ବିବୃତ୍ତିରେ ଉଲ୍ଲେଖ ରହିଛି ।
ସୂଚନାଯୋଗ୍ୟ, ଆସନ୍ତା ୨୫ ତାରିଖରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ତେବେ ରାହୁଲଙ୍କ ଏହି ଗସ୍ତ ସମୟରେ ଯୋଗେଶ ଉପସ୍ଥିତ ରହିବେ ନାହିଁ ବୋଲି ସ୍ପଷ୍ଟ କରିଥିଲେ । ଏଥିସହ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକଳାପକୁ ପ୍ରଶଂସା କରିବା ସହ ନବୀନ ଜଣେ ଭଲ ଲିଡର ବୋଲି ଯୋଗେଶ କହିଥିଲେ । ଆଗାମୀ ଦିନରେ ବିଜେଡିରେ ଯୋଗଦେଇ ନିଜ ନିର୍ବାଚନ ମଣ୍ଡଳୀର ଉନ୍ନତି କରିବେ ବୋଲି ଏକ ସଭାରେ ଯୋଗେଶ କହିଥିଲେ । ଦଳୀୟ ନେତାମାନେ ତାଙ୍କର ଏଭଳି କଥାରେ ଅସନ୍ତୁଷ୍ଟ ଥିବା ବେଳେ ଆଜି ତାଙ୍କୁ ନିଲମ୍ବିତ କରାଯାଇଛି ।