କାଳିଆ ଅଯୋଗ୍ୟ ହିତାଧିକାରୀଙ୍କ ସମ୍ୱନ୍ଧରେ ବିଧାନସଭାରେ ଦିଆଯାଇଛି ଭୁଲ ତଥ୍ୟ: ସତ୍ୟପ୍ରକାଶ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କାଳିଆ ଯୋଜନାରେ ଅଯୋଗ୍ୟ ହିତାଧିକାରୀଙ୍କ ସମ୍ୱନ୍ଧରେ ବିଧାନସଭାରେ ଭୁଲ ତଥ୍ୟ ପ୍ରଦାନ କରଯାଇଥିବା ନେଇ ଆଜି କଂଗ୍ରେସ ନେତା ସତ୍ୟପ୍ରକାଶ ନାୟକ ରାଜ୍ୟସରକାରଙ୍କୁ ଟାର୍ଗେଟ କରିଛନ୍ତି । ସତ୍ୟପ୍ରକାଶ ଅଭିଯୋଗ ମୁତାବକ, କାଳିଆ ଯୋଜନାକୁ ନେଇ କୃଷି ମନ୍ତ୍ରୀ ଅରୁଣ ସାହୁ ପବିତ୍ର ବିଧାନସଭା ଗୃହରେ ଯେଉଁ ତଥ୍ୟ ଉପସ୍ଥାପନା କରିଥିଲେ ତାହା ସଂପୂର୍ଣ୍ଣ ରୂପେ ଭୁଲ ଅଟେ । ମନ୍ତ୍ରୀ ଅସଲି ଚିଠା ପରିବର୍ତ୍ତେ ନକଲି ଚିଠା ଉପସ୍ଥାପନା କରିଛନ୍ତି ।
ସୂଚନା ଅନୁଯାୟୀ, କଂଗ୍ରେସ ନେତା ସତ୍ୟପ୍ରକାଶ ନାୟକ ଆଜି ଏକ ସାମ୍ବାଦିକ ସମ୍ବିଳନୀରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, ନିର୍ବାଚନୀ ଫାଇଦା ପାଇଁ କାଳିଆ ଯୋଜନାକୁ ବ୍ୟବହାର କରିଛନ୍ତି ରାଜ୍ୟ ସରକାର । ବିଧାନସଭାରେ କୃଷି ମନ୍ତ୍ରୀ ଅରୁଣ ସାହୁ ଅଯୋଗ୍ୟ ହିତାଧିକାରୀଙ୍କ ଭୁଲ ତଥ୍ୟ ପ୍ରଦାନ କରିଛନ୍ତି । ଆରଟିଆଇ ତଥ୍ୟ ଅନୁସାରେ ଗତ ଅକ୍ଟୋବର ମାସ ସୁଧା ୧ଲକ୍ଷ ୭୨ ହଜାର ୯୦୮ ଜଣ ଅଯୋଗ୍ୟ କାଳିଆ ହିତାଧିକାରୀ ସାମିଲ ଅଛନ୍ତି ବୋଲି ତଥ୍ୟ ରହିଛି । କିନ୍ତୁ ମନ୍ତ୍ରୀ ଗୃହରେ ୩୦ ଜିଲ୍ଲାରେ ୪୫ ହଜାର ୯୬୫ ଜଣ ଅଯୋଗ୍ୟ ହିତାଧିକାରୀ ବୋଲି କହିଥିଲେ ।
ଆରଟିଆଇ ତଥ୍ୟ ଅନୁଯାୟୀ ମାତ୍ର ୧୦ଟି ଜିଲ୍ଲା ମଧ୍ୟରୁ କୋରାପୁଟ ଜିଲ୍ଲାରେ ୧୫ ହଜାର ୨୫୫ ଜଣ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଥିବା ବେଳେ କେବଳ ସୁବର୍ଣ୍ଣପୁରରେ ୩୭ ହଜାର ୭୫୯ଜଣ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଛନ୍ତି । ସେହିପରି ଖୋର୍ଦ୍ଧା ୧୮ ହଜାର ୫୫୨, ଗଞ୍ଜାମରେ ୧୯ ହଜାର ୯୮୦ , ମୟୂରଭଂଜରେ ୧୪ ହଜାର ୧୭, ମାଲକାନଗିରିରେ ୯ ହଜାର ୮୫୨ , ସୁନ୍ଦରଗଡ ୧୧ହଜାର ୫୪୨, ସମ୍ବଲପୁର ୧୦ ହଜାର ୫୦ ଏବଂ ଜଗତସିଂହପୁର ୧୫ ହଜାର ୮୯୧ ଜଣ ଅଯୋଗ୍ୟ ହିତାଧିକାରୀ ଅଛନ୍ତି । ତେବେ ମାତ୍ର ୧୦ଟି ଜିଲ୍ଲାର ମୋଟ ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ହେଲା ୧ ଲକ୍ଷ ୭୨ ହଜାର ୯୦୮ ଅର୍ଥାତ୍ ୮୬ କୋଟିରୁ ଅଧିକ ଟଙ୍କରା ହେରଫେର ହୋଇଛି ଆଉ ମନ୍ତ୍ରୀଙ୍କ ଉପରେ କଣ ଚାପ ପଡିଲା , କିଏ ଚାପ ପକାଇଲା ଏ କାଳିଆ କେଳେଙ୍କାରୀରୁ ବଞ୍ଚିବା ପାଇଁ ଆଉ ଅସଲି ଚିଠାକୁ ଚାପି ଦେଇ ଗୋଟେ ନକଲି ଚିଠାର ଉତ୍ତର ଦେଲେ ସ୍ପଷ୍ଟ କରନ୍ତୁ ବୋଲି ଦାବି କରିଛି କଂଗ୍ରେସ ।