ଅର୍ଣ୍ଣବ ଗୋସ୍ୱାମୀଙ୍କ ଗିରଫ ଦାବିକଲେ ନରସିଂହ ମିଶ୍ର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜାତୀୟ ଗଣମାଧ୍ୟମ ରିପବ୍ଲିକ ଟିଭି ମୁଖ୍ୟ ଅର୍ଣ୍ଣବ ଗୋସ୍ୱାମୀଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଗତକାଲି ସେ ବଲାଙ୍ଗିର ଟାଉନ ଥାନାରେ ଏତଲା ଦେଇଥିବା ଜଣାପଡିଛି। ଟିଭି ସୋ ରେ ଆଲୋଚନା ବେଳେ ଅର୍ଣ୍ଣବ ଅପମାନଜନକ ଓ ଉତ୍ତେଜନାସୃଷ୍ଟି କଲା ଭଳି ବିବୃତି ଦେଇଥିବା ନରସିଂହ ମିଶ୍ର ଅଭିଯୋଗ କରିଛନ୍ତି। ଏହି ଘଟଣାର ତଦନ୍ତ କରିବା ସହ ଅର୍ଣ୍ଣବଙ୍କୁ ଗିରଫ ଦାବି କରିଛନ୍ତି।
ସୂଚନାଯୋଗ୍ୟ, ମହାରାଷ୍ଟ୍ରର ପାଲଘରଠାରେ ୩ ସାଧୁଙ୍କୁ ପିଟିପିଟି ହତ୍ୟା କରିବା ଘଟଣା ପାଇଁ ଅର୍ଣ୍ଣବ କଂଗ୍ରେସକୁ ଦାୟୀ କରି ନିଜ ଟିଭି ଚ୍ୟାନେଲରେ ସେ କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧିଙ୍କ ବିରୋଧରେ ଆପତ୍ତିଜନକ ଶବ୍ଦ ମଧ୍ୟ ପ୍ରୟୋଗ କରିଥିଲେ । ତେବେ ଗତକାଲି ବିଳମ୍ବିତ ରାତିରେ ଅର୍ଣ୍ଣବ ଓ ତାଙ୍କ ପତ୍ନୀ ମୁମ୍ବାଇସ୍ଥିତ ବାସଭବନକୁ ଫେରୁଥିବା ବେଳେ ରାସ୍ତାରେ ଦୁଇ ଜଣ ଦୁର୍ବୃତ୍ତ ତାଙ୍କୁ ପିଛା କରିଥିଲେ।
ଏହାପରେ ସେମାନେ ଗାଡି ଆଗକୁ ଆସି ଅର୍ଣ୍ଣବଙ୍କୁ ଗାଳିଗୁଲଜ କରିବା ସହ ଗାଡ଼ି କାଚକୁ ଭାଙ୍ଗିବା ପାଇଁ ଚେଷ୍ଟା କରିଥିଲେ । ପରେ ଅର୍ଣ୍ଣବଙ୍କ ସୁରକ୍ଷା କର୍ମୀ ସେମାନଙ୍କୁ କାବୁ କରିଥିଲେ ।
ସେହି ଦୁର୍ବୃତ୍ତମାନେ ଯୁବ କଂଗ୍ରେସ ସଦସ୍ୟ ବୋଲି ଅର୍ଣ୍ଣବ ଅଭିଯୋଗ କରିଛନ୍ତି । ଏଥିରେ ଅର୍ଣ୍ଣବ କିମ୍ବା ତାଙ୍କ ସ୍ତ୍ରୀଙ୍କ କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି । ଅର୍ଣ୍ଣବଙ୍କ ଅଭିଯୋଗ କ୍ରମେ ଏନ.ଏମ. ଜୋଶୀମାର୍ଗ ଥାନାରେ ଏକ ମାମଲା ରୁଜୁ ହେବାପରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି ।