୧୩୪ ତମ ପ୍ରତିଷ୍ଠା ଦିବସ ପାଳିଲା‌ କଂଗ୍ରେସ, କର୍ମୀଙ୍କୁ ଟୁଇଟରରେ ଶୁଭେଚ୍ଛା ଜଣାଇଲେ ରାହୁଲ

0


ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ୧୩୪ ତମ ପ୍ରତିଷ୍ଠା ଦିବସ ପାଳନ କରୁଛି କଂଗ୍ରେସ । ଏହି ଅବସରରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦିଲ୍ଲୀସ୍ଥିତ ଦଳୀୟ କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରିଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସମେତ ଦଳର ବରିଷ୍ଠ ନେତାମାନେ ଏଠାରେ ଉପସ୍ଥିତ ଥିଲେ । ଏହି ପରିପ୍ରେକ୍ଷୀରେ ଆୟୋଜିତ ସଭାରେ ଆଗାମୀ ସାଧାରଣ ନିର୍ବାଚନ ପାଇଁ ଦଳ ପକ୍ଷରୁ ରଣନୀତି ପ୍ରସ୍ତୁତି ଉପରେ ଆଲୋଚନା ହୋଇଥିଲା । ଦଳର ପ୍ରତିଷ୍ଠା ଦିବସ ପାଳନକୁ ନେଇ ରାହୁଲ ନିଜ ଟୁଇଟର ପେଜରେ ଏକ ପୋଷ୍ଟ କରିଛନ୍ତି । ସେଥିରେ ରାହୁଲ ଦଳୀୟ କର୍ମୀଙ୍କୁ ପ୍ରତିଷ୍ଠା ଦିବସର ଶୁଭେଚ୍ଛା ଜଣାଇବା ସହ ଦଳ ପ୍ରତିଷ୍ଠାତାଙ୍କ ପ୍ରତି ସମ୍ମାନ ଜଣାଇଛନ୍ତି ।

୧୮୮୫ରେ ଦାଦାଭାଇ ନାରୋଜୀ, ଏ.ଓ. ହ୍ୟୁମ୍‌ ଏବଂ ଦିନଶା ବାଚାଙ୍କ ପ୍ରୟାସରେ କଂଗ୍ରେସ ଦଳର ପ୍ରତିଷ୍ଠା କରାଯାଇଥିଲା । ୧୯୪୭ରେ ଦେଶ ସ୍ବାଧୀନ ହେବା ପରେ କଂଗ୍ରେସ ବୃହତ୍ତ ରାଜନୈତିକ ଦଳ ଭାବେ ଏହାର କାର୍ଯ୍ୟ ଆରମ୍ଭ କରିଥିଲା । ମାତ୍ର ୨୦୧୪ ସାଧାରଣ ନିର୍ବାଚନରେ କଂଗ୍ରେସ ଲୋକସଭାରେ ମାତ୍ର ୪୪ ଆସନ ମଧ୍ୟରେ ସୀମିତ ରହିଥିଲା । ତେବେ ସମ୍ପ୍ରତି କଂଗ୍ରେସ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ରେ ବିଜୟ ହାସଲ କରି ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ନିଜ ମନୋବଳକୁ ସୁଦୃଢ଼ କରିପାରିଛି ।

Leave a comment