ତୈଳ ଦର ବୃଦ୍ଧି ପ୍ରତିବାଦରେ ଆସନ୍ତା ୧୦ ତାରିଖରେ କଂଗ୍ରେସ ପକ୍ଷରୁ ଭାରତ ବନ୍ଦ ଡାକରା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଲଗାତାର ଭାବେ ବଢି ଚାଲିଥିବା ତୈଳ ଦର ସାଧାରଣ ଜନତାଙ୍କ ଚିନ୍ତା ବଢାଇଦେଇଛି । ତେଣୁ ଦେଶରେ ବଢ଼ି ଚାଲିଥିବା ତୈଳ ଦର ବୃଦ୍ଧି ପ୍ରତିବାଦରେ ଆସନ୍ତା ୧୦ ତାରିଖରେ କଂଗ୍ରେସ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି।
ସୂଚନ ଅନୁଯାୟୀ, କଂଗ୍ରେସ ନେତାମାନେ ତୈଳ ଦର ବୃଦ୍ଧି ପ୍ରତିବାଦରେ ଆସନ୍ତା ୧୦ ତାରିଖରେ ଭାରତ ବନ୍ଦ ଡାକରା ଦେଇଛନ୍ତି । ସେମାନେ ଅନ୍ୟ ଦଳ ଏବଂ ବିଭିନ୍ନ ସଂଗଠନଗୁଡ଼ିକୁ ମଧ୍ୟ ଏହି ଭାରତ ବନ୍ଦରେ ସାମିଲ ହେବା ପାଇଁ ଆହ୍ଵାନ ଦେଇଛନ୍ତି। କଂଗ୍ରେସ ନେତା ରଣଦୀପ ସୁର୍ଜେଓ୍ଵାଲା ଗତକାଲି କହିଥିଲେ, ଦେଶରେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ୍ ଦର ଲଗାତାର ଭାବେ ବୃଦ୍ଧି ପାଇଛି । ଫଳରେ ଲୋକମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଦିନକୁ ଦିନ ଏହି ସମସ୍ୟା ଉଗ୍ରରୂପ ଧାରଣ କରିବାରେ ଲାଗିଛି । ତେଣୁ କଂଗ୍ରେସ ପକ୍ଷରୁ ସେପ୍ଟେମ୍ବର ୧୦ ତାରିଖ (ସୋମବାର)ରେ ଭାରତ ବନ୍ଦ ଡାକରା ଦିଆଯାଇଛି । ତୈଳ ଦରବୃଦ୍ଧିକୁ ପ୍ରୋତ୍ସାହିତ କରାଯାଇ ୧୧ ଲକ୍ଷ କୋଟି ଟଙ୍କା ଲୁଟ୍ କରାଯାଇଛି । ବର୍ତ୍ତମାନ ଲୋକଙ୍କୁ ଜଣାଇବାର ସମୟ ଆସିଛି । ସରକାର ତୁରନ୍ତ ପେଟ୍ରୋଲ୍ ଓ ଡିଜେଲ୍ ଉପରୁ ଉତ୍ପାଦ ଟିକସ କମାଇ ଦରବୃଦ୍ଧିରେ ବ୍ରେକ୍ ଲଗାଇବା ଆବଶ୍ୟକ ବୋଲି ସାମ୍ବାଦିକଙ୍କୁ ସୁର୍ଜେଓ୍ଵାଲା କହିଛନ୍ତି।