ମହିଳାଙ୍କୁ ଟିକେଟ ଦେବାକୁ ପ୍ରତିଯୋଗିତା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମମତାଙ୍କ ପରେ ବିଜେଡି, କଂଗ୍ରେସ, ବିଜେପି ଉପରେ ସମସ୍ତଙ୍କ ନଜର । ତୃଣମୂଳ କଂଗ୍ରେସ ନେତ୍ରୀ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ତାଙ୍କ ଦଳର ପ୍ରାଥମିକ ପ୍ରାର୍ଥୀ ତାଲିକା ପ୍ରକାଶ କରିଛନ୍ତି । ଏଥିରେ ୪୧ ପ୍ରତିଶତ ମହିଳାଙ୍କୁ ସ୍ଥାନ ଦିଆଯାଇଛି । ୪୨ଟି ଲୋକସଭା ଆସନ ଥିବା ବେଳେ ସେଥିରୁ ୪୧% ମହିଳାଙ୍କୁ ପ୍ରାର୍ଥୀ କରାଯାଇଥିବା ମମତା କହିଛନ୍ତି । ସେପଟେ ମମତାଙ୍କର ଏହି ନିଷ୍ପତ୍ତିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଗତ କରିଛନ୍ତି । ପୂର୍ବରୁ କେନ୍ଦ୍ରାପଡ଼ାରେ ଆୟୋଜିତ ମିଶନ ଶକ୍ତି ମହାସମାବେଶରେ ଯୋଗଦେଇ ଲୋକସଭା ପ୍ରାର୍ଥୀ ଭାବେ ଅଧିକାଂଶ ମହିଳାଙ୍କୁ ବିଜେଡି ଟିକେଟ୍‍ ଦେବ ବୋଲି ନବୀନ ଘୋଷଣା କରିଥିବା ବେଳେ ବିଜେଡି ପ୍ରାର୍ଥୀ ତାଲିକା ଉପରେ ସମସ୍ତଙ୍କ ନଜର ରହିଛି ।

ଇତିମଧ୍ୟରେ ମମତାଙ୍କ ନେତୃତ୍ୱଧୀନ ତୃଣମୂଳ କଂଗ୍ରେସ ଦଳକୁ ଜାତୀୟ ମାନ୍ୟତା ମିଳିବା ପରେ ଓଡ଼ିଶାର କେତେକ ନିର୍ବାଚନମଣ୍ଡଳୀରେ ଏହି ଦଳ ପ୍ରାର୍ଥୀ ଦେବ ବୋଲି ଜଣାପଡ଼ିଛି । ସେପଟେ କଂଗ୍ରେସ ସାଧାରଣ ନିର୍ବାଚନ ପାଇଁ ଆଗୁଆ ପ୍ରାର୍ଥୀ ତାଲିକା ଘୋଷଣା କରିବ ବୋଲି ପ୍ରସ୍ତୁତି ଚଳାଇଥିବା ବେଳେ ଏ ପର୍ଯ୍ୟନ୍ତ ଚୂଡାନ୍ତ ହୋଇପାରିନି ତାଲିକା । ତେବେ ଦିଲ୍ଲୀରୁ ଫେରିବା ପରେ ଅଧିକାଂଶ ମହିଳାଙ୍କୁ ଟିକେଟ୍‍ ଦେବାକୁ ଦଳର ହାଇକମାଣ୍ଡ ରାହୁଲ ଗାନ୍ଧୀଙ୍କ ନିର୍ଦ୍ଦେଶ ରହିଥିବା ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ସେହିପରି ବିଜେପି ସବୁବେଳେ ମହିଳାଙ୍କୁ ଗୁରୁତ୍ୱ ଦେଉଥିବା ନେଇ ନାରା ଦେଉଥିବା ବେଳେ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ଏହା ଜଣାପଡ଼ିବ ।

Leave a comment