ବାହାରକୁ ଗଲେ ପାସ୍ ଦେଵ କମିଶନରେଟ୍ ପୁଲିସ୍
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମାର୍ଚ୍ଚ ୨୨ ତାରିଖରୁ ୨୯ ତାରିଖ ଯାଏ ରାଜ୍ୟ ସରକାର ୫ଟି ଜିଲ୍ଲା ଓ ୯ଟି ସହରକୁ ‘ଲକ୍ଡାଉନ୍’ ଘୋଷଣା କରିଛନ୍ତି। ‘ଲକ୍ଡାଉନ୍’ ଜିଲ୍ଲା ମଧ୍ୟରେ କଟକ ଓ ଖୋର୍ଦ୍ଧା ସାମିଲ ଥିବାବେଳେ ଏହି ସମୟରେ କୌଣସି ଜରୁରୀ ପରିସ୍ଥିତିରେ ବାହାରକୁ ଯିବାକୁ ଥିଲେ କମିଶନରେଟ୍ ପୁଲିସ୍ ପାସ୍ ଯୋଗାଇ ଦେବା ବ୍ୟବସ୍ଥା କରିଛି। ବସ୍ଷ୍ଟାଣ୍ଡ୍, ରେଳ ଷ୍ଟେସନ ଓ ଏୟାରପୋର୍ଟକୁ ଯାଉଥିଲେ ସାଥିରେ ଟିକେଟ୍ ନେଇ ଯିବାକୁ ପୁଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀ ପରାମର୍ଶ ଦେଇଛନ୍ତି।
ସେହିଭଳି ସରକାରୀ ବିଜ୍ଞପ୍ତି ଅନୁସାରେ ଖୋଲା ରହିବାକୁ ଥିବା ବିଭିନ୍ନ କାର୍ଯ୍ୟାଳୟର କର୍ମଚାରୀମାନେ ସାଥିରେ ପରିଚୟ ପତ୍ର ରଖି ଯା’ଆସ କରିବାକୁ କୁହାଯାଇଛି। ଏହା ବ୍ୟତୀତ ଅନ୍ୟ ବିଶେଷ ପରିସ୍ଥିତିରେ ବାହାରକୁ ଯିବାର ଥିଲେ ‘୧୦୦’ ନମ୍ବରକୁ ଫୋନ୍ କରି ଲୋକେ ନିଜ ଯାତ୍ରାର କାରଣ ଜଣାଇ ପାରିବେ। ଆଉ ତା’ପରେ ମୋବାଇଲ୍ ମେସେଜ୍ ମାଧ୍ୟମରେ ପାସ୍ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି ବୋଲି ପୁଲିସ୍ କମିଶନର କହିଛନ୍ତି। ବିଭିନ୍ନ ଥାନାର ଆଇଆଇସିମାନେ ମଧ୍ୟ ପାସ୍ ଦେଇ ପାରିବେ। ତେବେ ସରକାରୀ ନିର୍ଦ୍ଦେଶ ନମାନିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।