ଡିଜିଙ୍କ ବିରୋଧୀ ମେଳି ପଛରେ କିଏ?

0

ଭୁବନେଶ୍ୱର : ଭରତପୁର ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ରଙ୍କ ସମେତ ୫ଜଣଙ୍କ ବିରାଧରେ କାର୍ଯ୍ୟାନୁଷ୍ଠାନ ବିରୋଧରେ ପୋଲିସ ଏକଜୁଟ ହୋଇଛି । କମିଶନରେଟ ପୋଲିସର ଅଧିକାଂଶ ଅଫିସର ଓ କର୍ମଚାରୀ ରିଜର୍ଭ ଗ୍ରାଉଣ୍ଡରେ ଏକଜୁଟ ହୋଇ ନିଲମ୍ବନ ପ୍ରତ୍ୟାହାର ଦାବି କରିଛନ୍ତି । ତେବେ କମିଶନରେଟ ପୋଲିସର ଏଭଳି ଏକଜୁଟ ସିଧାସଳକ ପୋଲିସ ଡିଜି ୱାଇବି ଖୁରାନିଆ ଓ ଗୃହମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବିରୋଧରେ ବୋଲି ସ୍ପଷ୍ଟ ବାରିହୋଇପଡୁଛି । ତେବେ କମିଶନରେଟ ପୋଲିସର ଏଭଳି ମେଳି ପଛରେ କାହାର ହାତ ଅଛି?

ସାରାଦେଶରେ ବଦନାମ ହେବା ପରେ କମିଶନରେଟ ପୋଲିସ ଏବେ ଆତ୍ମରକ୍ଷା ଲାଗି ଫୁଲଦମ୍‌ରେ ଲାଗି ପଡିଛି । ପୀଡିତାଙ୍କ ଚରିତ୍ରକୁ ଲୋକଲୋଚନକୁ ଆଣିବା ଲାଗି ସିସିଟିଭି ଫୁଟେଜ ଓ ଭିଡ଼ିଓ ଭାଇରାଲ କରୁଥିବା ବେଳେ ଏବେ ପୋଲିସ କର୍ମଚାରୀଙ୍କୁ ଏକଜୁଟ କରିବାରେ ଲାଗିଛି । ସକାଳେ ଅବସରପ୍ରାପ୍ତ ପୋଲିସ କର୍ମଚାରୀ ସଂଘ ନିଲମ୍ବିତ ପୋଲିସ କର୍ମଚାରୀଙ୍କ ସପକ୍ଷରେ ବାହାରିଥିଲେ । ଏହା ପରେ ପୋଲିସ ଅଫିସର ସଂଘର ସଙ୍ଗଠନ ସମ୍ପାଦକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଅପରାହ୍ଣରେ କମିଶନରେଟ ପୋଲିସର ପ୍ରାୟ ସମସ୍ତ କର୍ମଚାରୀ ରିଜର୍ଭ ଗ୍ରାଉଣ୍ଡରେ ଏକଜୁଟ ହୋଇଥିଲେ । ଏସବୁ ଘଟଣାକୁ ଯଦି ଗ୍ରାଉଣ୍ଡରୁ ଅନୁଧ୍ୟାନ କରାଯାଏ, ତେବେ ପୋଲିସ ଡିଜି ୱାଇବି ଖୁରାନିଆଙ୍କ ବିରୋଧରେ ଏହା ଏକ ଯୋଜନାବଦ୍ଧ କାର୍ଯ୍ୟକ୍ରମ ଭଳି ସ୍ପଷ୍ଟ ଜଣାପଡୁଛି ।

ତେବେ ପୋଲିସ ଡିଜିଙ୍କ ବିରୋଧରେ ମେଳି ହେବା ଓ ନିଲମ୍ବନ ପ୍ରତ୍ୟାହାର ଦାବି କରିବାକୁ କିଏ ପ୍ରୋତ୍ସାହନ ଦେଉଛି? କାହା ନିର୍ଦ୍ଦେଶରେ ପୋଲିସ କର୍ମଚାରୀ ଡିଜିଙ୍କ ବିରୋଧରେ ମେଳି ହେଲେ? ଏହା ପଛରେ କୌଣସି ଆଇପିଏସ୍ ଅଫିସରଙ୍କର ହାତ ନାହିଁ ତ? ଡିଜିପିଙ୍କୁ କାଠଗଡାକୁ ଟାଣିବାକୁ ଏହା କାହାର ଚକ୍ରାନ୍ତ ନୁହେଁ ତ? କମିଶନରେଟ ପୋଲିସକୁ ସାରାଦେଶରେ ବଦନାମ କରିବା ପରେ ଏହି ମେଳି କ’ଣ ଦର୍ଶାଉଛି? ଏଭଳି ଅନେକ ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି ।

ଅନ୍ୟପକ୍ଷରେ ଡିଜିପିଙ୍କ ନିର୍ଦ୍ଦେଶ ପରେ ପୋଲିସ ଗିରଫ କରିଥିବା ରୋଡରୋମିଓଙ୍କୁ କୋର୍ଟରୁ ତୁରନ୍ତ ଜାମିନ ମିଳିବା ମଧ୍ୟ ଏକ ଯୋଜନାବଦ୍ଧ ବୋଲି କୁହାଯାଉଛି । ଭାଇରାଲ ଭିଡ଼ିଓରେ ଗିରଫ ରୋଡରୋମିଓମାନେ ଉତ୍ପାତ କରୁଥିବା ଦେଖିବାକୁ ମିଳୁଛି । ହେଲେ ପୋଲିସ ତାଙ୍କ ବିରୋଧରେ କି ଦଫା ଲଗାଇଲା ଯେ, କୋର୍ଟକୁ ଯାଉ ଯାଉ ବେଲ୍ ହୋଇଗଲା? ଏକ ସମ୍ବେଦନଶୀଳ ଘଟଣାରେ କମିଶନରେଟ ପୋଲିସର କୋହଳ ଦଫାକୁ ନେଇ ଭିନ୍ନ ଚର୍ଚ୍ଚା ହେଉଛି । ଏହି ଗିରଫ କେବଳ ମାମଲାକୁ ଥଣ୍ଡା କରିବା ପାଇଁ ନୁହେଁ ତ? ଯେଉଁ ଘଟଣାକୁ ନେଇ ୫ଜଣ ପୋଲିସ ନିଲମ୍ବିତ ହେଲେ, ସେହି ମାମଲାରେ ରୋଡିରୋମିଓ କିପରି ଜାମିନ ପାଇଲେ? ଏହାପଛରେ କିଛି ରହସ୍ୟ ଅଛି ନା ଡିଜିପିଙ୍କୁ ଚେକ୍ ଦେବାକୁ ଏଭଳି କରାଗଲା? ଏଭଳି ଅନେକ ପ୍ରଶ୍ନ ଏବେ ଉଙ୍କି ମାରିବାରେ ଲାଗିଛି ।

Leave a comment