‘ଡଟ୍‌ ଫେଷ୍ଟ’ ପାଇଁ ସଜାଗ କମିଶନରେଟ୍‌ ପୁଲିସ; ସୁରକ୍ଷା ପାଇଁ ଜଗିବେ ୧୫ ପ୍ଲାଟୁନ୍‌ରୁ ଅଧିକ ପୁଲିସ

0

‘ଡଟ୍‌ ଫେଷ୍ଟ’ ରଙ୍ଗରେ ରଙ୍ଗୀନ ହେବ ରାଜଧାନୀ ରାତି । ବଲିଉଡ୍‌ ଷ୍ଟାର, ରକ୍‌ଷ୍ଟାର୍‌, ରାପରଙ୍କ ହାଇଭୋଲଟେଜ୍‌ ସୋରେ ରାଜଧାନୀବାସୀ ଝୁମିବେ । ‘ସୁରକ୍ଷିତ ଡଟ୍‌ ଫେଷ୍ଟ’ ପାଇଁ କମିଶନରେଟ୍‌ ପୁଲିସ କସରତ ଆରମ୍ଭ କରିଛି । ପ୍ରାୟ ୧୫ ପ୍ଲାଟୁନ୍‌ରୁ ଅଧିକ ପୁଲିସ ଫୋର୍ସ ଜଗିବେ ବୋଲି ପୁଲିସ ସୂଚନା ଦେଇଛି ।

ଡିସିପି ପ୍ରତୀକ ଗୀତା ସିଂଙ୍କ ତତ୍ତ୍ୱାବଧାନରେ ସପ୍ତାହେ ଧରି ଘନଘନ ବୈଠକ ଚାଲିଛି । ଅତିରିକ୍ତ ଡିସିପି ପ୍ରକାଶ ପାଲ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ପ୍ରଦର୍ଶନୀ ପଡି଼ଆ ବୁଲି ତଦାରଖ କରିଛନ୍ତି । ପଡି଼ଆର କେଉଁ ପାଶ୍ୱର୍ରେ ପ୍ରବେଶ, ପ୍ରସ୍ଥାନ ଫାଟକ ରହିବ? କେଉଁଠି ବାଇକ୍‌ ପାର୍କିଂ ହେବ? କାର କେଉଁଠି ରଖାଯିବ? ଷ୍ଟାରମାନଙ୍କ ଏସକର୍ଟରେ କେତେଜଣ ପୁଲିସ ରହିବେ? ଏନେଇ ସବିଶେଷ ଆଲୋଚନା ସରିଛି । ପୁଲିସ ପକ୍ଷରୁ ମଧ୍ୟ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି ।

ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ, ପ୍ରଦର୍ଶନୀ ପଡି଼ଆ ଭିତରେ ଓ ବାହାରେ ପ୍ରାୟ ୧୫ ପ୍ଲାଟୁନ୍‌ ଫୋର୍ସ ଜଗିବେ । ୩ ଜଣ ଅତିରିକ୍ତ ଡିସିପି ର‌୍ୟାଙ୍କ ଅଧିକାରୀ ପୂରା ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବେ । ଏହାବାଦ୍‌ ୫ଜଣ ଏସିପି, ୧୦ ଇନ୍ସପେକ୍ଟର ମଧ୍ୟ ସୁରକ୍ଷା ବ୍ୟବସ୍ଥା ଦାୟିତ୍ୱରେ ରହିବେ । ଡଟ୍‌ ଫେଷ୍ଟ ପାଇଁ ରାମମନ୍ଦିର-ବୁଦ୍ଧମନ୍ଦିର ରାସ୍ତା ସମ୍ପୂର୍ଣ୍ଣ ସିଲ୍‌ କରାଯିବ । ରାମମନ୍ଦିର ପଟୁ ଖାଓ ଗଳି ସାମ୍ନା, ବୁଦ୍ଧମନ୍ଦିର ଆଡୁ ହାଉର୍ସିଂ ବୋର୍ଡ ଅଫିସ ପଛ ରାସ୍ତାଠାରୁ କୌଣସି ଗାଡି଼ ଗଡ଼ି ପାରିବନି । ଦର୍ଶକମାନେ ଚାଲି ଚାଲି ପଡି଼ଆରେ ପ୍ରବେଶ କରିବେ ।

ରାମମନ୍ଦିର-ବୁଦ୍ଧମନ୍ଦିର ରାସ୍ତାକଡ଼ ଓ ହାଉସିଂବୋର୍ଡ-କେଶରୀ ଟକିଜ୍‌ ରାସ୍ତାକଡ଼ରେ ଥିବା ୨ଟି ଫାଟକ ଦେଇ ଦର୍ଶକ ପଡି଼ଆକୁ ପଶିପାରିବେ । ଉଭୟ ଫାଟକରେ ପ୍ରବେଶ ଓ ପ୍ରସ୍ଥାନ ପାଇଁ ବାଟ ରହିବ । ପଡି଼ଆ ପଛପାଶ୍ୱର୍ରେ ଥିବା ଫାଟକରେ ଷ୍ଟାର ଓ ଭିଭିଆଇପିମାନେ ଯା’ ଆସ କରିବେ । ସେମାନଙ୍କୁ ପୁଲିସ ଏସକର୍ଟ ଯୋଗେ କାରରେ ପଡି଼ଆରେ ଛାଡି଼ବ । ଷ୍ଟେଜ୍‌ ଡାହାଣ ପାଶ୍ୱର୍ରେ ଷ୍ଟାରମାନଙ୍କ ପାଇଁ ଗୋଟିଏ ଗ୍ରୀନ୍‌ରୁମ୍‌ ରହିବ । ସେହିପରି ଭିଭିଆଇପି ଓ ନେତାମନ୍ତ୍ରୀଙ୍କ ପାଇଁ ମଧ୍ୟ ଏକ ଅସ୍ଥାୟୀ କ୍ୟାମ୍ପ ବନାଯାଇଛି ।

Leave a comment