ଓଡିଶାକୁ ଆସି କେନ୍ଦ୍ରମନ୍ତ୍ରୀମାନେ ଦେଉଥିବା ପ୍ରତିଶୃତି ଫମ୍ପା ମାଠିଆର ଶବ୍ଦ ଭଳି : ବିଜେଡି

ଓଡିଶାକୁ କେନ୍ଦ୍ରମନ୍ତ୍ରୀ ମାନେ ଆସିବେ, ବଡ ବଡ ପ୍ରକଳ୍ପ ଏବଂ ଶହ ଶହ କୋଟି ଟଙ୍କାର କଥା କହିବେ ହେଲେ ଟଙ୍କାଟିଏର ମଧ୍ୟ କାର୍ଯ୍ୟ ହେବନାହିଁ । ସେମାନଙ୍କ କଥା ଠିକ୍ ଫମ୍ପା ମାଠିଆର ଶବ୍ଦ ଭଳି । ସାଢେ ୪ କୋଟି ଓଡିଶାବାସୀ ବିଜେପି ନେତାଙ୍କ ଏଭଳି କଥା ସହ କିଭଳି ଅଭ୍ୟସ୍ତ ହୋଇଗଲେଣି ତାହାର ଗୋଟି ଗୋଟି କରି ପ୍ରମାଣ ରଖିଛି ବିଜେଡି ।
ଆଜି ଏଠାରେ ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ ବିଜେଡି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ବିଧାୟକ ସୌଭିକ ବିଶ୍ୱାଳ ଓ ବିଜେଡି ମୁଖପାତ୍ର ସ୍ୱୟଂପ୍ରକାଶ ମହାପାତ୍ର କହିଛନ୍ତି ଯେ ଗତ ୯ ବର୍ଷ ହେଲାଣି କୋଷ୍ଟାଲ ହାଇୱେ କଥା କେନ୍ଦ୍ର ମନ୍ତ୍ରୀ ମାନେ ପ୍ରତିଶ୍ରୁତି ଦେଇଥିଲେ । ତାର ଆଜି ସ୍ଥିତି କଣ? କେନ୍ଦ୍ର ସରକାରଙ୍କ ଫାଇଲ ଭିତରେ ଏହା ରହିଯାଇଛି ।
ସେହିଭଳି ପଦମପୁର ଉପ-ନିର୍ବାଚନ ସମୟରେ ଆମେ ଶୁଣିଲୁ ପଦମପୁର ରେଲୱେ ଲାଇନକୁ ଅନୁମୋଦନ ମିଳିଯାଇଛି । ପଦମପୁରବାସୀ ସେଇ ରେଲୱେ ଲାଇନକୁ ଖୋଜୁଛନ୍ତି । ଆଶ୍ଚର୍ଯ୍ୟର କଥା ହେଉଛି ସେମାନେ ଗୋଟିଏ ଇଞ୍ଚର ମଧ୍ୟ ରେଲୱେ ଲାଇନ୍ ପାଉନାହାନ୍ତି । ଆପଣ ଯଦି ଏହାକୁ ପାଆନ୍ତି ଦୟାକରି ଆମକୁ ଜଣାଇବେ । ଏହା ହେଉଛି କେନ୍ଦ୍ର ଏବଂ କେନ୍ଦ୍ରମନ୍ତ୍ରୀ ମାନଙ୍କର ସବୁଠାରୁ ବଡ ଛଳନା । ନିର୍ବାଚନ ଏବଂ ପ୍ରଚାର ସମୟରେ କେନ୍ଦ୍ରମନ୍ତ୍ରୀମାନେ ଅନେକ ଘୋଷଣା କରନ୍ତି । ନିର୍ବାଚନ ସରିଗଲା ପରେ ସବୁ ଭୁଲିଯାଆନ୍ତି । ପଦମପୁର ରେଲୱେ ଲାଇନ୍, ସମ୍ବଲପୁର-କଟକ ଜାତୀୟ ରାଜପଥ, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ହେଉଛି ଓଡିଶାବାସୀଙ୍କୁ ଏଭଳି ମିଥ୍ୟା ପ୍ରତିଶ୍ରୁତିର ଗୋଟିଏ ଗୋଟିଏ ଉଦାହରଣ ।