ଖସିଲା ପାଗଳାମି, ସୋସିଆଲ ମେଡିଆରେ କମେଡି କିଙ୍ଗ ପପୁଙ୍କ କ୍ଷମା ପ୍ରାର୍ଥନା, ଦେଖନ୍ତୁ ଭିଡ଼ିଓ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାତାରାତି ଷ୍ଟାର ପାଲଟି ଥିବା ରାନୁ ମଣ୍ଡଳଙ୍କୁ ନକଲ କରି କମେଡି କିଙ୍ଗ ପପୁ ପମପମ ସିସିଆଲ ମିଡିଆରେ ଛାଡିବା ପରେ ସମସ୍ତେ ଏହାର ନିନ୍ଦା କରିବା ସହ ପପୁଙ୍କ ମୁଣ୍ଡ ଠିକ ନାହିଁ ବୋଲି ଚର୍ଚ୍ଚା କରୁଥଲେ । ସେହିପରି ନିଶ୍ଚିନ୍ତକୋଇଲି ନାଗରିକ ମଞ୍ଚ ପକ୍ଷରୁ ପପୁଙ୍କ ବିରୁଦ୍ଧରେ ନିଶ୍ଚିତକୋଇଲି ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ଏହାପରେ ପପୁ ସୋସିଆଲ ମିଡିଆରେ କ୍ଷମାପ୍ରାର୍ଥନା କରିଥିବା ଦେଖିବାକୁ ମିଳୁଛି ।
ସୂଚନା ଅନୁଯାୟୀ, ଲତା ମଙ୍ଗେଶକରଙ୍କର ଗୀତଗାଇ ଟ୍ରେନରେ ଭିକ୍ଷାବୃତ୍ତି କରୁଥିବା ରାନୁ ମଣ୍ଡଳଙ୍କ ଏକ ଭିଡ଼ିଓ ରେକଡିଂ କରି ଜଣେ ବ୍ୟକ୍ତି ସୋସିଆଲ ମିଡିଆରେ ଛାଡିବା ପରେ ରାତାରାତି ଷ୍ଟାର ବନିଯାଇଥିଲେ ରାନୁ । ହୀମେଶ ରେଶମୀୟା ରାନୁଙ୍କୁ ତାଙ୍କ ଷ୍ଟୁଡିଓରେ ଗୀତଗାଇବାକୁ ସୁଯୋଗଦେଇଥିଲେ । ଏହି ସମୟର କିଛି ମୁହୂର୍ତ୍ତ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା । ଯାହାକୁ ଲକ୍ଷ ଲକ୍ଷ ଲୋକ ପସନ୍ଦ କରିବା ସହ ରାନୁଙ୍କ ପ୍ରସଂଶା କରୁ ଥିବା ବେଳେ ଓଡ଼ିଆ କମେଡି କିଙ୍ଗ ପପୁ ପମପମ ଏହାର ଏକ ନକଲ ତିଆରି କରି ସୋସିଆଲ ମିଡିଆରେ ଭାଇରଲ କରିଥିଲେ । ଯାହାକୁ ଲୋକ ନାପସନ୍ଦ କରିବା ସହ ଏହା ଏକ ମହିଳାଙ୍କ ଅପମାନ ବୋଲି କହିଥିଲେ । ଅହଂସକୁ ନେଇ ନିଶ୍ଚିନ୍ତକୋଇଲି ନାଗରିକ ମଞ୍ଚ ପକ୍ଷରୁ ପପୁଙ୍କ ବିରୁଦ୍ଧରେ ନିଶ୍ଚିତକୋଇଲି ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା ।
ଅପରପକ୍ଷରେ ସବୁଆଡୁ ନିନ୍ଦା ଶୁଣିବା ପରେ ପପୁ ସୋସିଆଲ ମିଡିଆରେ କ୍ଷମା ପ୍ରାର୍ଥନା କରିଛନ୍ତି । ସେ କହିଛନ୍ତି, ସେ ରାନୁଙ୍କ ପ୍ରଚାର ପାଇଁ ଏପରି ଭିଡ଼ିଓ କରିଥିଲେ । କିନ୍ତୁ ତାହା ବିବାଦ ଭିତରକୁ ଆସିଲା ଭଳି କିଛି ଲୋକ କହିଲେ । ତେବେ ସବୁ କଥାରୁ ଦୋଷ ବାହାର କଲେ ବାହାରିବ । ଲୋକ ତ ଭଗବାନଙ୍କର ଦୋଷ ବାଛୁଛନ୍ତି । ମୁଁ ତ ମଣିଷଟିଏ । ସକାରାତ୍ମକ ମନୋଭାବ ନେଇ ଭିଡିଓଟିକୁ ପ୍ରସ୍ତୁତ କରିଥିଲି । ଏଥିପାଇଁ ଯଦି କାହାକୁ କଷ୍ଟ ହୋଇଥିବ, ମୁଁ କ୍ଷମା ମାଗୁଛି । ଭଲ କଥାକୁ ଭଲରେ ନିଅନ୍ତୁ । ସବୁକଥାରେ ବିତର୍କ ଉଠାଇଲେ ଭଲ କଥା ନୁହେଁ ।