କମ୍ବିଂ : ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ

ଭବାନୀପାଟଣା (ଓଡ଼ିଶା ଫାଷ୍ଟ ବ୍ୟୁରୋ): କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ନାପାଡ଼ାଲୁ ଜଙ୍ଗଲରୁ କମ୍ବିଂ ଅପରେସନ୍ ବେଳେ ୪ଟି ଆଇଇଡି, ୪ଟି ଗୁଳି ଓ ବିସ୍ଫୋରକ ସହିତ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛନ୍ତି ସୁରକ୍ଷାକର୍ମୀ। କମ୍ବିଂ ଅପରେସନ ବେଳେ ଏହି ସବୁ ସାମଗ୍ରୀ ଜବତ ହୋଇଥିବା ଆଜି କଳାହାଣ୍ଡି ଏସ୍ପି ଅଭିଳାଷ ଜି ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି।
ନାପାଡ଼ାଲୁ ଜଙ୍ଗଲରେ ୩୦ରୁ ଅଧିକ ନକ୍ସଲ କ୍ୟାମ୍ପ କରି ରହିଥିବା ନେଇ କୌଣସି ସୂତ୍ରରୁ ସୂଚନା ମିଳିବା ପରେ କଳାହାଣ୍ଡି ପୁଲିସ୍ ପକ୍ଷରୁ ମିଳିତ ଅପରେସନ୍ କରାଯାଇଥିଲା। ଏସ୍ଓଜି, ଡିଭିଏଫ୍ ଓ ସିଆର୍ପିଏଫ୍ ଯବାନମାନେ ମିଳିତ ଭାବେ କମ୍ବିଂ ଅପରେସନ୍ କରିଥିଲେ। ଏହି ସମୟରେ ନକ୍ସଲଙ୍କ ସହିତ ସେମାନଙ୍କର ମୁହାଁମୁହିଁ ହୋଇଥିଲା। ଉଭୟ ପକ୍ଷ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଗୁଳିବିନିମୟ ଭିତରେ ନକ୍ସଲମାନେ ପଛଘୁଞ୍ଚା ଦେଇଥିଲେ। ସେମାନେ ସେଠାରୁ ଫେରାର ହୋଇଯାଇଥିଲେ। ଏହି ନକ୍ସଲ କ୍ୟାମ୍ପରେ ନିଖିଲ, ଦଶୃ ଓ ମମତା ଭଳି ଟପ୍ ନକ୍ସଲ କ୍ୟାଡର ଉପସ୍ଥିତ ଥିଲେ ବୋଲି କଳାହାଣ୍ଡି ଏସ୍ପି ଅଭିଳାଷ ଜି. ସୂଚନା ଦେଇଛନ୍ତି।