ସମସ୍ତ ଜିଲ୍ଲାପାଳ କ୍ୱାରେଂଟାଇନ୍ କେନ୍ଦ୍ରରେ ସଙ୍ଗରୋଧରେ ଥିବା ସମସ୍ତଙ୍କୁ କୋଭିଡ ତାଲିମ ଦେବେ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା ନେଇ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଆଜି କରୋନା ନେଇ ତାଜା ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ କ୍ୱାରେଂଟାଇନ୍ ସେଂଟରରେ ଥିବା ପ୍ରବାସୀ ଫେରନ୍ତାଙ୍କୁ ନେଇ ଏକ ତର୍ଜମା ହୋଇଥିଲା। ଗତ ୨୪୧ଟି ପଜିଟିଭରୁ ୧୨ ଜଣ ବାଦ୍ ୨୨୯ ଜଣ ଫେରନ୍ତା କ୍ୱାରେଂଟାଇନ୍ ରୁ ହିଁ ଜଣାପଡିଥିଲା । ତେବେ ଆଶ୍ୱସ୍ତିର କଥା ହେଉଛି ଯେ ନିୟନ୍ତ୍ରିତ ସ୍ଥାନରେ ଯଦି ଅଧିକ ସଂଖ୍ୟାରେ ପଜିଟିଭ ଚିହ୍ନଟ ହେବେ ତେବେ ଆମେ ପରିସ୍ଥିତିର ମୁକାବିଲା କରିପାରିବା ।

ସେହିପରି ରାଜ୍ୟ ସରକାର ଆଜି ସରପଂଚମାନଙ୍କୁ ସ୍ୱତନ୍ତ୍ର ଅନୁରୋଧ କରିଛନ୍ତି । କ୍ୱାରେଂଟାଇନ୍ କେନ୍ଦ୍ରରେ ଥିବା ଲୋକଙ୍କ ଉପରେ ସରପଂଚ ନଜର ରଖିବେ । ବାହାର ଲକ୍ଷଣ ଥିଲେ ସରକାରଙ୍କୁ ଜଣାଇବେ, ସେମାନଙ୍କୁ ଅଲଗା ରଖିବେ । ସେହିପରି ସମସ୍ତ ଜିଲ୍ଲାପାଳଙ୍କୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ଯେ ସମସ୍ତ ଜିଲ୍ଲାପାଳ କ୍ୱାରେଂଟାଇନ୍ କେନ୍ଦ୍ରରେ ସଙ୍ଗରୋଧରେ ଥିବା ସମସ୍ତଙ୍କୁ କୋଭିଡ ତାଲିମ ଦେବେ ।

ଯାହାଦ୍ୱାରା ଯେଉଁମାନେ ସୁସ୍ଥ ହୋଇ ଘରକୁ ଫେରିବେ ସେମାନେ ସମସ୍ତଙ୍କୁ ସଚେତନ କରାଇବେ ଓ ଅନୁଭୂତି ବାଂଟିବେ । ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି ଯେ ୨ ଦିନ ତଳେ ରାଜ୍ୟରେ କରେନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୨୮୯ ଥିବାବେଳେ ଆଜି ଏହା ପ୍ରାୟ ୪୦୦ ପାଖାପାଖି ଛୁଇଁଲାଣି । ଆଗାମୀ ଦିନରେ ସଂକ୍ରମିତଙ୍କ ସଂଖ୍ୟା ଆହୁରି ବଢିବ । ଏଥିରେ ବିଚଳିତ ହେବାର କୌଣସି କାରଣ ନାହିଁ ଓ ଅନ୍ୟକୁ ଦାୟୀ କରିବାର ସମୟ ନୁହେଁ ବୋଲି ବାଗଚୀ କହିଛନ୍ତି ।

Leave a comment