କାଶୀପୁରରେ ଅଣାୟତ୍ତ ହେଲାଣି ହଇଜା ପରିସ୍ଥିତି; ସ୍ଥିତି ଅନୁଧ୍ୟାନ କଲେ ସ୍ବାସ୍ଥ୍ୟ ମନ୍ତ୍ରୀ

0

ରାୟଗଡ଼ା ଜିଲ୍ଲାର କାଶୀପୁର ବ୍ଲକରେ ଆତଙ୍କ ସୃଷ୍ଟି କରିଥିବା ହଇଜା ଦିନକୁ ଦିନ ଗମ୍ଭୀର ହେଉଛି । ବର୍ତ୍ତମାନ ସୁଦ୍ଧା ଏଥିରେ ଶତାଧିକ ଲୋକ ଏଥିରେ ଆକ୍ରାନ୍ତ ହୋଇଥିବା ବେଳେ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଏଥିସହ ୯ ଜଣଙ୍କ ମୃତ୍ୟୁ ଘଟିଛି । ସ୍ଥିତି ଅନୁଧ୍ୟାନ ଆଜି କରିଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଏବଂ ଆଇନ, ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା । ସ୍ଥିତିକୁ ଖୁବଶୀଘ୍ର ନିୟନ୍ତ୍ରଣରେ ଆଣିବା ଲାଗି ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ।

ଆଜି ଭୋରରୁ ମୃତ୍ୟୁ ଘଟିଥିବା ମୃତକ ହେଉଛନ୍ତି ଡେଙ୍ଗାଗୁଡା ଗ୍ରାମର ଅର୍ଜୁନ ମାଝୀ (୫୦) । ଗତ ଦୁଇ ଦିନ ଧରି ସେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ । ଗତକାଲି ମେଡିକାଲରୁ ଘରକୁ ଆସିଥିଲେ ଓ ଆଜି ମୃତ୍ୟୁ ଘଟିଛି। ଏତଦବ୍ୟତୀତ ଶତାଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସଙ୍କଟାପନ୍ନ ଅବସ୍ଥାରେ ଥିବା ଆକ୍ରାନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଜଣଙ୍କ ଅବସ୍ଥା ଗୁରୁତର ହେବାରୁ କୋରାପୁଟ SLN ମେଡିକାଲ କଲେଜ ସ୍ଥାନାନ୍ତର କରାଯାଇଛି । ତେବେ ଆଜି କ୍ଷେତ୍ରର ସ୍ଥିତି ଅନୁଧ୍ୟାନ କରିଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଏବଂ ଆଇନ, ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ।

ଦୁଇ ମନ୍ତ୍ରୀ ସହିତ ସ୍ବାସ୍ଥ୍ୟ ବିଭାଗର ଏକ ପ୍ରତିନିଧି ଦଳ ପହଞ୍ଚି କାଶୀପୁର ବ୍ଲକର ବିଭିନ୍ନ ଗାଁରେ ହଇଜା ଆକ୍ରାନ୍ତ ହୋଇଥିବା ଲୋକଙ୍କ ପରିବାରକୁ ଭେଟିଥିଲେ। ଏଥିସହ ବିଭିନ୍ନ ମେଡିକାଲରେ ଭର୍ତ୍ତି ହୋଇଥିବା ଆକ୍ରାନ୍ତ ସହିତ ଭେଟି ସ୍ବାସ୍ଥ୍ୟ ସେବା ପଚାରିଥିଲେ। ଚିକିତ୍ସା ପଦ୍ଧତି ସମ୍ପର୍କରେ ଡାକ୍ତର ସହିତ ଆଲୋଚନା କରିଥିଲେ । ଲୋକ ଯେଉଁ ସ୍ଥାନରେ ଜଳ ସଂଗ୍ରହ କରୁଛନ୍ତି ତାହା ମଧ୍ୟ ବୁଲି ଦେଖିଛନ୍ତି । ଏଣେ କାଶୀପୁର, ଟିକିରି, ମାଣ୍ଡିବିସି, ଉଷାପଡା ଓ ରାୟଗଡ଼ା ସ୍ବାସ୍ଥ୍ୟ କେନ୍ଦ୍ରରେ ଅନେକ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ସେହିଭଳି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଗୁରୁତରମାନଙ୍କୁ ସ୍ବତନ୍ତ୍ର ଭାବେ ଚିକିତ୍ସା କରାଯାଉଛି ।

କାଶୀପୁର ବ୍ଲକର ଚାରିଟି ମେଡିକାଲରେ ୭୫ ଜଣ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ଡେଙ୍ଗାଗୁଡା, କପାଡାଙ୍ଗ, ମଲ୍ଲୀଝରଣ, ସୁରୁଗୁଞ୍ଜା, ଟିକିରି, ଗୋବରିଘାଟି, ଜଲାକୁରା, ଦୁଡୁକାବାହାଲ, ବଡମାରିଭଟ୍ଟା, କାକୁଡିପଦର, ରାଉତଘାଟି ଭଳି ବିଭିନ୍ନ ଗାଁ ମାନଙ୍କରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି । ଫଳରେ ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି । ଦୂଷିତ ପାଣି ବ୍ୟବହାର କରିବା ଯୋଗୁଁ ଝାଡ଼ାବାନ୍ତି ବ୍ୟାପୁଥିବା ବେଳେ ଏହାର ନିରାକରଣ ଓ ହଇଜା ନିୟନ୍ତ୍ରଣ ପାଇଁ ସ୍ଵତନ୍ତ୍ର ପଦକ୍ଷେପ ନିଆଯାଉଛି ବୋଲି ଉଭୟ ମନ୍ତ୍ରୀ କହିଛନ୍ତି ।

ତେବେ ଘଟଣା ଗୁରୁତର ହୋଇଥିବା ସ୍ଥଳେ ଗାଁ ମାନଙ୍କରେ ସ୍ଥିତି ପରିବର୍ତ୍ତନ ଘଟିନାହିଁ । ଗ୍ରାମ୍ୟ ଜଳଯୋଗାଣ ବିଭାଗ ମଧ୍ୟ ବିଶୁଦ୍ଧ ଜଳଯୋଗାଣ ପାଇଁ ଫେଲ୍ ମାରିଛି । ଆଜି ମଧ୍ୟ ଗ୍ରାମବାସୀମାନେ ଦୂଷିତ ଜଳ ବ୍ୟବହାର କରୁଥିବା ନଜରକୁ ଆସିଛି। ଟ୍ୟାଙ୍କରରେ ଜଳ ଯୋଗାଣ ନିଅଣ୍ଟ ହେଉଥିବା ଲୋକମାନେ ଅଭିଯୋଗ କରିଛନ୍ତି । ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ୟୁନିଟ ଠିକ୍ ସମୟରେ ପହଞ୍ଚୁନଥିବା ମଧ୍ୟ ଅଭିଯୋଗ ହୋଇଛି। ଲୋକଙ୍କୁ ସ୍ୱଚ୍ଛ ଜଳ ଯୋଗାଇବା ପାଇଁ ଭ୍ରାମ୍ୟମାଣ ଆର.ଓ.ଆର ବ୍ୟବସ୍ଥା କରାଯାଇଛି । ପ୍ରତିବର୍ଷ ଏହିଭଳି ଘଟୁଥିବା କାରଣରୁ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି । ତେବେ କାହିଁକି ବାରମ୍ବାର ଏହାର ପୁନରାବୃତ୍ତି ଘଟୁଛି ତାହା ଅନୁସନ୍ଧାନ ସହିତ ସ୍ଥାୟୀ ପ୍ରତିକାର ଜରୁରୀ ।

Leave a comment