୮ରେ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୮ତାରିଖରେ ନୂଆଦିଲ୍ଲୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ପଞ୍ଚମଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବାପରେ ନବୀନ ପ୍ରଥମ ଥର ଦିଲ୍ଲୀ ଗସ୍ତ କରିବେ । ନବୀନ ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଦ୍ଵିତୀୟ ଥର ପାଇଁ ଦେଶବ୍ୟାପୀ ବୃହତ ବିଜୟର ଶୁଭେଚ୍ଛା ଜଣାଇବେ । ଏହି ଅବସରରେ ନବୀନ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଓ ଅନ୍ୟ କେତେଜଣ ମନ୍ତ୍ରୀଙ୍କୁ ମଧ୍ୟ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି ।
ସୂଚନାଯୋଗ୍ୟ, ସାଧାରଣ ନିର୍ବାଚନରେ ଏନଡିଏ ନେତୃତ୍ଵାଧୀନ ବିଜେପି ସାରା ଦେଶରେ ବୃହତ ସମର୍ଥନ ପାଇଁ ଲଗାତାର ଭାବେ ଦ୍ବିତୀୟ ଥର ପାଇଁ ସରକାର ଗଢିଛି । ତେବେ ସରକାର ଗଢ଼ିବାର ମାତ୍ର କେଇଟା ଦିନ ପରେ କେନ୍ଦ୍ରର ଆୟୁଷ୍ମାନ ଭାରତ ଯୋଜନାକୁ ଓଡ଼ିଶାରେ ଲାଗୁ କରିବା ପାଇଁ କେନ୍ଦ୍ର ସରକାର ଉଦ୍ୟମ ଚଳାଇଛନ୍ତି । ପୂର୍ବରୁ ଏକ ପ୍ରତିନିଧି ଦଳ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଓ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା କରିଥିଲେ । ତେବେ ଗତକାଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଏହି ପ୍ରସଙ୍ଗରେ ଟେଲିଫୋନ୍ ଯୋଗେ ଆଲୋଚନା କରିଥିବା ଜଣାପଡ଼ିଛି । ଆସନ୍ତା ଅକ୍ଟୋବର ସୁଦ୍ଧା ଓଡ଼ିଶାରେ ଏହି ଯୋଜନା କାର୍ଯ୍ୟକାରୀ କରାଯାଇପାରେ ବୋଲି ସୂଚନା ମିଳିଥିବା ବେଳେ ନବୀନଙ୍କ ଦିଲ୍ଲୀ ଗସ୍ତ ପରେ ଏ ସମ୍ପର୍କରେ ସ୍ପଷ୍ଟ ହେବ ।