କେନ୍ଦ୍ରାପଡାକୁ ମୁଖ୍ୟମନ୍ତ୍ରୀଙ୍କ ଅଚାନକ ଗ୍ରସ୍ତ, ଜୋର ଧରିଲା ରାଜନୈତିକ ଚର୍ଚ୍ଚା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଅଚାନକ କେନ୍ଦ୍ରାପଡ଼ା ଜିଲା ଗସ୍ତ କରି ବାତ୍ୟା କ୍ଷୟକ୍ଷତି ସମୀକ୍ଷା କରିଛନ୍ତି । ଏଥିସହ ଜିଲା ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି । ଜିଲାରେ ଆଉ ୩୦ଟି ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ କରାଯିବ । ପ୍ରତ୍ୟେକ ଆଶ୍ରୟସ୍ଥଳ ପାଇଁ ୨ କୋଟି ଟଙ୍କା ଲେଖାଏଁ ବ୍ୟୟ ହେବ ବୋଲି ମୁଖ୍ୟମନ୍ତ୍ରୀ ଏହି ପ୍ୟାକେଜ୍ରେ ଘୋଷଣା କରିଛନ୍ତି । ଗତ ୩ ତାରିଖରେ ହୋଇଥିବା ଫନୀ ବାତ୍ୟାରେ ଜିଲାର କେତେକ ସ୍କୁଲ, ଅଙ୍ଗନୱାଡି କେନ୍ଦ୍ର ଓ ଜନ ଅନୁଷ୍ଠାନ କେତେକାଂଶରେ ନଷ୍ଟ ହୋଇଛି । ଏହାର ମରାମତି ପାଇଁ ୨ ଲକ୍ଷ ଟଙ୍କା ଲେଖାଏଁ ବ୍ୟୟ ବରାଦ କରାଯାଇଛି । ଏଥିସହ ଜିଲାର ସ୍ବୟଂ ସହାୟକ ଗୋଷ୍ଠୀ, କୃଷକ ଓ ମତ୍ସ୍ୟଜୀବୀଙ୍କ ପାଇଁ ଜୀବିକା ପ୍ୟାକେଜ ଘୋଷଣା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।
ଜିଲାପାଳ କାର୍ଯ୍ୟାଳୟ ସଭାଗୃହରେ ମୁଖ୍ୟମନ୍ତ୍ରୀଙ୍କ ମସୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲାପାଳ ପ୍ରେମ୍ଚାନ୍ଦ ଚୌଧୁରୀ, ବାତ୍ୟା ପରିଚାଳନା ନୋଡାଲ ଅଫିସର ପ୍ରଦୀପ ଜେନା ଉପସ୍ଥିତ ରହି ବାତ୍ୟା ଯୋଗୁ ଚାଷରେ କ୍ଷତି, ଚାଷୀଙ୍କୁ ଋଣ ଯୋଗାଣ, ମତ୍ସ୍ୟଜୀବୀଙ୍କ ସମସ୍ୟା, ହସ୍ତଶିଳ୍ପରେ କ୍ଷତି, ଏସ୍ଏସ୍ଜିଙ୍କୁ ସହାୟତା, ଚାଷୀଙ୍କ ଋଣ ଛାଡ, ଶିକ୍ଷାନୁଷ୍ଠାନ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ । ବାତ୍ୟାଜନିତ କ୍ଷୟକ୍ଷତି ବାବଦ ସମୀକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ଆସିଥିଲେ ମଧ୍ୟ ଏହି ଗସ୍ତରେ ରାଜନୀତିର ଗନ୍ଧ ରହିଥିବା ଆଲୋଚନା ଜୋର୍ ହେଉଛି । ରିଲିଫ ସାମଗ୍ରୀକୁ ବିଜେଡି ନେତା ଅକ୍ତିଆର କରି ଭୋଟ ଫାଇଦା ଉଠାଇବାକୁ ଚାହୁଁଥିବା ବେଳେ ରିଲିଫ ସାମଗ୍ରୀରେ ଦଳୀୟ ଚିହ୍ନ ଏହାର ଉଦାହରଣ ପାଲଟିଛି । ତେବେ ଆଗକୁ ପାଟକୁରା ଆସନ ପାଇଁ ନିର୍ବାଚନ ହେବାକୁ ଥିବାରୁ ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡ଼ା ଗସ୍ତ କରି ଭୋଟ ହାତେଇବାକୁ ଲକ୍ଷ୍ୟ ରଖିଥିବା ରାଜ୍ୟ ବିଜେପି ଦଳରେ ଆଲୋଚନା ହେଉଛି ।