ନୂଆବର୍ଷରେ ମେଟ୍ରୋ ରେଳ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ, ୪ ବର୍ଷରେ କାମ ସାରିବାକୁ ଲକ୍ଷ୍ୟ

୫୯୨୯ କୋଟି ଟଙ୍କାର ଡିପିଆରକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁର

0

ଖୁବଶୀଘ୍ର ଓଡ଼ିଶାବାସୀଙ୍କ ସ୍ବପ୍ନ ହେବ ପୂରଣ। ଜାନୁଆରୀ ୧ରେ ମେଟ୍ରୋ ରେଳ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହ ମେଟ୍ରୋ ରେଲ୍ ଡିପିଆରକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି।ଏଥିପାଇଁ ୫୯୨୯ କୋଟି ଟଙ୍କାର ଡିପିଆରକୁ ମୁଖ୍ୟମନ୍ତ୍ରୀ ଆଜି ମଞ୍ଜୁର କରିଛନ୍ତି । ସମ୍ପୂର୍ଣ୍ଣ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ।

ଏହି ମେଟ୍ରୋ ରେଳ ପ୍ରକଳ୍ପ ଖୁବ ଶୀଘ୍ର ଆରମ୍ଭ କରି ୪ ବର୍ଷରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସୂଚନା ପ୍ରଦାନ କରାଯାଇଛି। ତ୍ରିଶୂଳିଆରୁ ଭୁବନେଶ୍ଵର ଏୟାରପୋର୍ଟ ପର୍ଯ୍ୟନ୍ତ ମେଟ୍ରୋ ଗଡ଼ିବ। ଏହା ମଧ୍ୟରେ ୧୦ଟି ଷ୍ଟେସନ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି। ଏହି ଷ୍ଟେସନ୍ ଗୁଡ଼ିକ ନନ୍ଦନକାନନ, କିଟ୍ ସ୍କୋୟାର୍, ଡମଣା ସ୍କୋୟାର୍, ଜୟଦେବବିହାର, ବାଣୀବିହାର, ରାମମନ୍ଦିର, ଭୁବନେଶ୍ୱର ରେଳ ଷ୍ଟେସନ୍, ବାପୁଜୀ ନଗର, ଶିଶୁ ଭବନ ଏବଂ କ୍ୟାପିଟାଲ୍ ହସ୍ପିଟାଲ୍ କୁ ସଂଯୋଗ କରିବ । ସଂପୃକ୍ତ ସବୁ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ଧାର୍ଯ୍ୟ ସମୟରେ ପ୍ରକଳ୍ପ କାର୍ଯ୍ୟ ସାରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ଆଜି ଏହି ପ୍ରକଳ୍ପର ସମୀକ୍ଷା କରି କହିଥିଲେ ଯେ ମେଟ୍ରୋ ରେଲ୍ ପ୍ରକଳ୍ପ ଓଡ଼ିଶାର ଏକ କ ବୃହ ଲ୍ୟାଣ୍ଡମାର୍କ ପ୍ରୋଜେକ୍ଟ । ମେଟ୍ରୋ ରେଲ୍ ସିଷ୍ଟମ୍ ରେ ଦେଶର ପ୍ରମୁଖ ବଛା ବଛା ସହର ମଧ୍ୟରେ ଭୁବନେଶ୍ୱର ସ୍ଥାନ ପାଇବ । ସହର ଭିତରେ ସାଧାରଣ ପରିବହନ ବ୍ୟବସ୍ଥାକୁ ଏହା ଆହୁରି ଦୃଢ଼ୀଭୂତ କରିବା ସହ ସହରର ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେବ । ଏହି ମେଗା ପ୍ରକଳ୍ପ ଭୁବନେଶ୍ୱରକୁ ଦେଶର ଏକ ପ୍ରମୁଖ ବସତି ସହର ଭାବେ ଗଢ଼ି ତୋଳିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ ।

Leave a comment