ବେଗୁନିଆରେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍‌ ଶୋ’ ରେ ହଜାର ହଜାର ଜନ ସମାଗମ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଢ଼େଙ୍କାନାଳରୁ ପ୍ରଚାର ସାରି ଫେରିବା ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗୁରୁବାର ଅପରାହ୍ନରେ ଖୋର୍ଦ୍ଧା ଜିଲା ବେଗୁନିଆଠାରେ ଆୟୋଜିତ ରୋଡ୍‌ ଶୋ’ରେ ସାମିଲ ହୋଇଥିଲେ । ହେଲିକାପ୍ଟର ଯୋଗେ ମୁଖ୍ୟମନ୍ତ୍ରୀ ଆସି ବେଗୁନିଆରେ ପହଞ୍ଚିବା ପରେ ହାଇଟେକ୍‌ ବସ୍‌ରେ ବସି ରୋଡ୍‌ ଶୋ’ରେ ସାମିଲ ହୋଇଥିଲେ । ଏହି ରୋଡ୍‌ ଶୋ’ ବେଗୁନିଆରୁ ବାହାରି ଭୁବନେଶ୍ୱର ପର୍ଯ୍ୟନ୍ତ ଆସିଥିଲା । ବିଭିନ୍ନ ସ୍ଥାନରେ ଦଳୀୟ ସମର୍ଥକମାନେ ମୁଖ୍ୟମନ୍ତ୍ରୀଙ୍କ ରୋଡ ଶୋ’କୁ ସ୍ବାଗତ କରିଥିଲେ । ଏହି ଅବସରରେ ନବୀନ ଦଳୀୟ ନେତାଙ୍କୁ ଭୋଟ ଦେଇ ଜୟଯୁକ୍ତ କରାଇବାକୁ ଭୋଟରଙ୍କୁ ନିବେଦନ କରିଥିଲେ ।

ଏହି ରୋଡ୍‌ ଶୋ’ ବେଳେ ବହୁ ନେତା, କର୍ମୀ ଯୋଗଦେଇଥିବା ବେଳେ ଜଣେ କର୍ମୀ ଏହି ଅବସରରେ ଗାଡ଼ିରୁ ପଡ଼ି ଆହତ ହୋଇଥିବା ସୂଚନା ମିଳିଛି । ତେବେ ବେଗୁନିଆରେ ରୋଡ୍‌ ଶୋ’ କରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ପୂର୍ବାହ୍ନରେ ଢେଙ୍କାନାଳ ଜିଲା ସଦର ବିଧାନସଭା ର୍ନିବାଚନ ମଣ୍ଡଳୀର ଗଁଦିଆ ଷ୍ଟାଡ଼ିୟମଠାରେ ଆୟୋଜିତ ର୍ନିବାଚନୀ ସଭାରେ ଯୋଗଦେଇଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି । ହେଲେ ବିଜେପି ଏହାକୁ ବନ୍ଦ କରିବାକୁ ଚେଷ୍ଟା କରୁଛି । ମୁଁ ବଞ୍ଚିଥିଲା ପର୍ଯ୍ୟନ୍ତ ଏହାକୁ ବନ୍ଦ କରେଇ ଦେବିନାହିଁ ବୋଲି ନବୀନ ତାଙ୍କ ଅଭିଭାଷଣରେ କହିଥିଲେ । ଏହିସଭାରେ ଢେଙ୍କାନାଳ ଏମ୍‌ପି ପ୍ରାର୍ଥୀ ମହେଶ ସାହୁ, ସଦର ବିଧାୟକ ପ୍ରାର୍ଥୀ ସୁଧୀର କୁମାର ସାମଲଙ୍କ ସମେତ ବହୁ ବିଜେଡି କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Leave a comment