ସୁନ୍ଦରଗଡ ବିକାଶର ବତୀଘର : ନବୀନ ପଟ୍ଟନାୟକ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସୁନ୍ଦରଗଡ ସଦର ବ୍ଲକ୍ ଅନ୍ତର୍ଗତ କୋପସିଂଗା ଓ କୁଡାବଙ୍ଗାଠାରେ ୪୯୩ କୋଟି ଟଙ୍କା ବ୍ୟୟ ଅଟକଳରେ ଇବ୍ ନଦୀ ଉପରେ ନିର୍ମାଣ ହେବାକୁ ଥିବା ଦୁଇଟି ବ୍ୟାରେଜର ଶିଳାନ୍ୟାସ କରିଛନ୍ତି । ଏହି ଦୁଇଟି ପ୍ରକଳ୍ପ କାର୍ଯ୍ୟ ଆଗାମୀ ୨ ବର୍ଷରେ ଶେଷ ହେବ ଏବଂ ଏହାଦ୍ବାରା ସୁନ୍ଦରଗଡ ମ୍ୟୁନିସିପାଲଟି, ସୁନ୍ଦରଗଡ ସଦର ବ୍ଲକ୍, ଲେଫ୍ରିପଡା, ବାଲିଶଂକରା ଓ ଟାଙ୍ଗରପାଲି ଆଦି ବ୍ଲକ୍ ୪୭ ହଜାର ଲୋକ ଉପକୃତ ହେବେ । ଏହା ସହିତ ୪୮୮ହେକ୍ଟର ଜମିକୁ ଜଳସେଚନ ସୁବିଧା ମିଳିବ । ଉପରୋକ୍ତ ବ୍ଲକଗୁଡିକରେ ଘରେ ଘରେ ପାନୀୟ ଜଳଯୋଗାଣ ସୁବିଧା ହୋଇପାରିବ ଓ ମତ୍ସ୍ୟଜୀବୀମାନେ ଏହି ବ୍ୟାରେଜରେ ମାଛ ଚାଷ କରି ଜୀବିକା ଉପର୍ଜନ କରିପାରିବେ । ଏହି ଦୁଇଟି ବ୍ୟାରେଜ ଉପରେ ବ୍ରିଜ କରାଯାଉଥିବାରୁ ଲେଫ୍ରିପଡା ଓ ଟାଙ୍ଗରପଲ୍ଲୀ ବ୍ଲକର ଲୋକମାନେ ରାଉରକେଲା ସହିତ ସିଧାସଳଖ ଯୋଗାଯୋଗ ସୁବିଧା ପାଇବେ ।

ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସୁନ୍ଦରଗଡ ହେଉଛି ଓଡିଶାର ବିକାଶର ବତୀ ଘର । ରାଉରକେଲା ସହର, ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ ଓ ରାଉରକେଲାର NIT ଓଡିଶାର ଗୌରବ ବୃଦ୍ଧି କରିଛି । ଏହି ତିନୋଟିଯାକ ଗୁରୁତ୍ବପୁର୍ଣ୍ଣ ପ୍ରକଳ୍ପରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସ୍ମୃତି ଜଡିତ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସୁନ୍ଦରଗଡ ସାରା ଦେଶକୁ ବହୁତ କିଛି ଦେଇଛି । ସୁନ୍ଦରଗଡର କୋଇଲା, ଦେଶକୁ ଶକ୍ତି ଯୋଗାଉଛି । ସୁନ୍ଦରଗଡରେ ଏସିଆର ସବୁଠୁ ବଡ ହକି ଷ୍ଟାଡିୟମ ହେବାକୁ ଯାଉଛି । ସୁନ୍ଦରଗଡର ହକି ଖେଳାଳୀମାନେ ଦେଶ ପାଇଁ ଗୌରବ ଆଣିଛନ୍ତି ଓ ଗର୍ବିତ କରିଛନ୍ତି । ତେଣୁ ସୁନ୍ଦରଗଡରେ AIIMS ସୁନ୍ଦରଗଡବାସୀଙ୍କର ହକ୍‌ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
କାର୍ଯ୍ୟକ୍ରମରେ ଯୋଗ ଦେଇ ବିଧାୟକ ତଥା ସୁନ୍ଦରଗଡ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ସାରଦା ନାୟକ ଜିଲ୍ଲାର ବିଭିନ୍ନ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଯେଭଳି ପଦକ୍ଷେପ ନେଇଛନ୍ତି, ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଜଳସଂପଦ ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗ ତାଙ୍କ ସ୍ବାଗତ ଭାଷଣରେ କନଷ୍ଟ୍ରକସନ ଅଫ୍ ଇନ୍ ଷ୍ଟ୍ରିମ୍ ଷ୍ଟୋରେଜ ଷ୍ଟ୍ରକଚର ସଂପର୍କରେ ଅବତାରଣା କରିଥିଲେ । ବିଭାଗୀୟ ଯନ୍ତ୍ରୀ ମୁଖ୍ୟ ଧନ୍ୟବାଦ ଅର୍ପଣ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବୈଠକରେ ମୁଖ୍ୟଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave a comment