ଲକ୍ଡାଉନ ସମୟରେ ଓଡ଼ିଶା ପୁଲିସର କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ଙ୍କ ପ୍ରସଂଶା

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଜିଲ୍ଲାସ୍ତରରେ କୋରୋନା ଓ ଆଇନଶୃଙ୍ଖଳା ସ୍ଥିତିନେଇ ରାଜ୍ୟର ସମସ୍ତ ଡ଼ିଆଇଜି ଓ SPଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି। ଲକ୍ଡାଉନ ସମୟରେ ଓଡ଼ିଶା ପୁଲିସ ଯେଭଳି ଉଚ୍ଚମାନର ସଂଯମତା ସହିତ ମର୍ଯ୍ୟାଦା ଓ ମାନବିକତା ପ୍ରଦର୍ଶନ କରି ପରିସ୍ଥିତିକୁ ନିୟନ୍ତ୍ରଣ କରିପାରିଛନ୍ତି, ସେଥିପାଇଁ ଓଡିଶା ପୁଲିସ ବାହିନୀକୁ ଉଚ୍ଚପ୍ରଶଂସା କରିଥିଲେ।
ଲକ୍ଡାଉନ ସମୟରେ ଅନ୍ୟ ରାଜ୍ୟ ଗୁଡିକର ପ୍ରବାସୀ ଶ୍ରମିକମାନେ ଓଡିଶା ମଧ୍ୟ ଦେଇ ଯିବା ସମୟରେ ସେମାନଙ୍କୁ ସହାୟତା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାର Zero Walking Inside Odisha ନୀତି କାର୍ଯ୍ୟକାରୀ କରିଥିଲେ। ଏହି ନୀତିକୁ ପୋଲିସ ବାହିନୀ ଯେଭଳି ଉତ୍ତମ ସମନ୍ବୟ ରଖି ସଫଳତାର ସହ କାର୍ଯ୍ୟକାରୀ କଲେ ଏବଂ ଅନ୍ୟ ରାଜ୍ୟର ପ୍ରବାସୀ ଶ୍ରମିକମାନଙ୍କୁ ମାନବୀୟ ସେବା ଯୋଗାଇ ଦେଲେ, ତାହା ଓଡିଶା ପୋଲିସର ଦକ୍ଷତା ଓ ବୃତ୍ତିଗତ ଉତ୍କର୍ଷତାର ନିଦର୍ଶନ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ବାତ୍ୟା ଅମ୍ଫାନ ସମୟରେ ଆମର ଓଡ୍ରାଫ ଓ ଅଗ୍ନିଶମ ସେବାର କର୍ମଚାରୀମାନେ ପଶ୍ଚିମବଙ୍ଗ ଯାଇ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ । କରୋନା ଭୟ ସତ୍ତ୍ବେ ସେମାନେ କୋଲକତାରେ ଯେଭଳି ସାହସ ଓ ମାନବିକତାର ସହ ବିପନ୍ନ ଲୋକଙ୍କୁ ସେବା ଯୋଗାଇ ଦେଲେ, ତାର ମଧ୍ୟ ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଥିଲେ।