ମା ଆପଣ ହସ୍ପିଟାଲ ଯାଇଥିଲେ କି, ଟ୍ରିଟମେଣ୍ଟ କେମିତି, ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କ୍ୟାପିଟାଲ ହସ୍ପିଟାଲରେ ‘ମୋ ସରକାର’ କାର୍ଯ୍ୟକ୍ରମର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାପରେ ମୁଖ୍ୟମନ୍ତ୍ରୀ ସହିଦନଗର ଥାନାକୁ ଯାଇଥିଲେ । ପୂର୍ବ କାର୍ଯ୍ୟକ୍ରମ ଅନୁଯାୟୀ ଲୋକଙ୍କ ସହ ଫୋନରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ସେମାନେ ହସ୍ପିଟାଲ, ଥାନାକୁ ଯାଇଥିଲେକି ସେଠାରେ ସବୁ ଠିକ ତ’ ପଚାରି ବୁଝିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ସେହିପରି ‘ମୋ ସରକାର’ର ଲୋଗୋ ଓ ଫଳକ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହିଦ ନଗରର ଥାନାରେ ୯ ଜଣଙ୍କ ସହ କଥା ହୋଇଥିଲେ । ସେମାନଙ୍କୁ ଥାନାରେ ଉତ୍ତମ ସେବା ପ୍ରଦାନ କରାଯାଉଛି ନା ନାହିଁ ତାହା ପଚାରି ବୁଝିଥିଲେ ମୁଖ୍ୟମନ୍ତ୍ରୀ । ଏବଂ ଲୋକ ସହିଦନଗର ଥାନାରେ ଉତ୍ତମ ସେବା ପ୍ରଦଶନ କରାଯାଉଥିବା ମୁଖ୍ୟମନ୍ତ୍ରୀଙ୍କୁ ଜଣାଇ ଥିଲେ ।
ରାଜ୍ୟର ୨୧ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଅକ୍ଟୋବର ୩୦ ସୁଦ୍ଧା ସବୁ ଜିଲ୍ଲା ଚିକିତ୍ସାଳୟରେ ଏହାକୁ କାର୍ଯ୍ୟକାରୀ କରାଯିବ । ସେହିଭଳି ୨୦୨୦ ମାର୍ଚ୍ଚ ୫ ସୁଦ୍ଧା ରାଜ୍ୟର ସବୁ ବିଭାଗରେ ଏହା କାର୍ଯ୍ୟକାରୀ ହେବ ।
ମୋ ସରକାର କାର୍ଯ୍ୟକ୍ରମ ମାଧ୍ୟମରେ ସରକାରୀ ବିଭାଗକୁ ଆସୁଥିବା ସବୁ ବ୍ୟକ୍ତିଙ୍କର ନମ୍ବର ପଞ୍ଜୀକରଣ କରାଯିବ । ୨୪ଘଣ୍ଟା ମଧ୍ୟରେ ଏ ବାବଦରେ ସମ୍ପୃକ୍ତ ବ୍ୟକ୍ତିଙ୍କ ପାଖକୁ ଏସଏମଏସ ଯିବ । ଯଦି କୌଣସି ବ୍ୟକ୍ତିଙ୍କର ନମ୍ବର ପଞ୍ଜିକରଣ ହୋଇନଥାଏ ତେବେ ୧୪୫୪୫କୁ ମିସ୍ କଲ୍ କରି ନିଜ ନମ୍ବରକୁ ପଞ୍ଜିକରଣ କରିପାରିବେ । ଆଉ ମୋ ସରକାର ପୋର୍ଟାଲରେ ରେଜିଷ୍ଟ୍ରେସନ ଥିବା ନମ୍ବରରୁ ଯେ କୌଣସି ବ୍ୟକ୍ତିଙ୍କୁ ଫୋନ କରି ଜନସାଧାରଣଙ୍କର ମତାମତ ନିଆଯିବ । ଲୋକଙ୍କ ମତାମତ ଆଧାରରେ ଥାନା ଓ ଡାକ୍ତରଖାନା କର୍ମଚାରୀଙ୍କୁ ଭଲ ବା ଖରାପ ରାଙ୍କ ଦିଆଯିବ । ଭଲ କାମ କରିଥିବା ବ୍ୟକ୍ତିଙ୍କୁ ଆଗୁଆ ପଦୋନ୍ନତି ଦିଆଯିବ ଓ ଖରାପ ରାଙ୍କ ପାଇଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ସେହିପରି ମତାମତ ଦେଇଥିବା ବ୍ୟକ୍ତିଙ୍କ ପରିଚୟ ସମ୍ପୂର୍ଣ୍ଣ ଗୋପନୀୟ ରଖାଯିବ ।