ବିଜୁବାବୁଙ୍କ ସମାଧିକୁ ହଟାଇବା ନିର୍ଦ୍ଦେଶ ଦେଇ ମୁଖ୍ୟମନ୍ତ୍ରୀ ନବୀନ ବନିଲେ ଉଦାହରଣ: ଟାଇମସ ନାଓ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କିଛିଦିନ ତଳେ ପୁରୀ ସ୍ୱର୍ଗଦ୍ୱାରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଥିଲେ ବଡ଼ ଘୋଷଣା । ବିଜୁ ବାବୁଙ୍କ ସମାଧି ସ୍ୱର୍ଗଦ୍ୱାରରୁ ହଟାଇବାକୁ ନେଇଥିଲେ ନିଷ୍ପତ୍ତି । ଏହାସହ ସ୍ୱର୍ଗଦ୍ୱାର ଉର୍ଣ୍ଣତ୍ତିକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପ୍ରଥମ ପର୍ଯ୍ୟାୟରେ ୫ କୋଟି ଟଙ୍କା ପ୍ରଦାନ ପାଇଁ କରିଥିଲେ ଘୋଷଣା । ଯାହାକୁ ନେଇ ସମଗ୍ର ଦେଶରୁ ସେ ପ୍ରଶଂସା ସାଉଁଟି ପାରିଛନ୍ତି । ଦେଶର ପ୍ରମୁଖ ଚ୍ୟାନେଲ ଟାଇମସ ନାଓ ରେ ଏସମ୍ୱନ୍ଧରେ ନ୍ୟୁଜ ପ୍ରସାରିତ ହେବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନ୍ୟ ନେତାଙ୍କ ପାଇଁ ଏକ ଉଦାହରଣ ବୋଲି ପ୍ରକାଶ କରାଯାଇଛି ।

ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବକ୍ତବ୍ୟ “ବିଜବାବୁ କୋଟି କୋଟି ଓଡ଼ିଆଙ୍କ ହୃଦୟରେ ଅଛନ୍ତି । ସ୍ୱର୍ଗଦ୍ୱାରରେ ବିଜୁବାବୁଙ୍କ ଉଦ୍ଦେଶ୍ୟରେ ଯାହାକିଛି ଥିଲା ସେ ସବୁ ଏବେ ଓଡ଼ିଶାବାସୀଙ୍କ ସେବାରେ ଲାଗିବ” ତାଙ୍କର ମହାନତାକୁ ଦର୍ଶାଉଛି ବୋଲିମଧ୍ୟ ଟାଇମସ ନାଓ ଚ୍ୟାନେଲରେ ପରିବେଷଣ କରାଯାଇଥିଲା । ଯାହାର ଭିଡ଼ିଓ ଏବେ ଭାଇରଲ ହେବାରେ ଲାଗିଛି ।

ସୂଚନା ଅନୁଯାୟୀ, ଫନି ବାତ୍ୟା ପରେ କ୍ଷତିଗ୍ରସ୍ତ ହୋଇଥିବା ପୁରୀ ସ୍ୱର୍ଗଦ୍ୱାରର ସାମଗ୍ରିକ ବିକାଶ ପାଇଁ ରାଜ୍ୟ ସରକାର ଫୋଏନିକ୍ସ ଫାଉଣ୍ଡେସନ ସହଯୋଗରେ କାର୍ଯ୍ୟ କରିବାନେଇ ଏକ ବୈଠକରେ ସ୍ଥିର କରାଯାଇଛି ।ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପ୍ରଥମ ପର୍ଯ୍ୟାୟରେ ୫ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଶବଦାହ ଠାରୁ ଆରମ୍ଭ କରି ଶବବାହକଙ୍କ ପାଇଁ ଏଠାରେ ଅତ୍ୟାଧୁନିକ ବ୍ୟବସ୍ଥା ରହିବ । ସବୁ ଋତୁରେ ସୁବିଧାରେ ଶବଦାହ ପାଇଁ ବ୍ୟବସ୍ଥା କରାଯିବ । ଶବବାହକଙ୍କ ସୁବିଧା ପାଇଁ ବିଶ୍ରାମ କକ୍ଷ ରହିବ । ଏହାବ୍ୟତୀତ ଅସ୍ଥି ସଂଗ୍ରହ ଓ ସଂରକ୍ଷଣ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ରହିବ । କାମ ଆରମ୍ଭ ହେବାର ୬ ମାସ ମଧ୍ୟରେ ଏହାକୁ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

Leave a comment