କେନ୍ଦ୍ରାପଡ଼ାରେ ୩.୫ ଲକ୍ଷ ଭୂମିହୀନଙ୍କୁ କାଳିଆ ଯୋଜନାରେ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ ୩.୫ ଲକ୍ଷ ଭୂମିହୀନ ହିତାଧିକାରୀଙ୍କୁ ଆଜି ନବୀନ ପଟ୍ଟନାୟକ ପ୍ରଥମ ପର୍ଯ୍ୟାୟରେ ୫ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି । ଏହି ଟଙ୍କାରେ ଚାଷୀ ଭାଇମାନେ ଛେଳି, ବତକ, କୁକୁଡ଼ା, ଛତୁ ଏବଂ ମହୁ ଚାଷ କରିପାରିବେ । ଜୀବନଧାରଣ ପାଇଁ ୭ଟି କ୍ଷେତ୍ରରେ ଏହି ଟଙ୍କାକୁ ବିନିଯୋଗ କରିପାରିବେ ଚାଷୀ । ନିଜ ପସନ୍ଦ ଏବଂ ସୁବିଧା ମୁତାବକ ଟଙ୍କାକୁ ବିନିଯୋଗ କରିପାରିବେ ଭୂମିହୀନ ଚାଷୀ । ଏହି ଉପଲକ୍ଷେ କେନ୍ଦ୍ରପଡ଼ା ଜିଲ୍ଲା ବାରୁଅଠାରେ ଅନୁଷ୍ଠିତ ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇଥିଲେ । ଅପରାହ୍ନ ୪.୧୫ରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ କେନ୍ଦ୍ରାପଡା ବ୍ଲକ ବାରୁଅ ପଞ୍ଚାୟତର ସିଦ୍ଧମଠ ପଡିଆଠାରେ କାଳିଆ ସମାବେଶରେ ପହଞ୍ଚିଥିଲେ । ସେଠାରେ କେନ୍ଦ୍ରାପଡା ପାଇଁ ୧୭୩ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିଥିଲେ । ଏହି ଅବସରରେ ସଭାସ୍ଥଳରେ ଥିବା ଡିଜିଟାଲ ସୁଇଚ ଟିପି ଚାଷୀଙ୍କ ଏକାଉଣ୍ଟକୁ ପ୍ରଥମ ପର୍ଯ୍ୟାୟ ଟଙ୍କା ଯାଇଥିବା ଘୋଷଣା କରିଥିଲେ । ସଭା ପ୍ରାରମ୍ଭରେ ଜାମ୍ମୁ-କାଶ୍ମୀରର ପୁଲୱମାଠାରେ ଶହୀଦ ହୋଇଥିବା ସୈନିକଙ୍କ ପାଇଁ ୨ ମିନିଟ ନୀରବ ପାର୍ଥନା କରାଯାଇଥିଲା । ଏହି ସମାବେଶରେ ୬୦ ହଜାରରୁ ଊର୍ଦ୍ଧ୍ୱ ଲୋକ ସାମିଲ ହୋଇଥିଲେ ।
କାଳିଆ ଯୋଜନା ଦେଶର କୃଷକ ଭାଇମାନଙ୍କ ପାଇଁ ବାଟ ଫିଟାଇବ ବୋଲି କେନ୍ଦ୍ରାପଡାରେ ଚାଷୀ ମହାସମାବେଶରେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କାରଣ ଚାଷୀ ଭାଇର ଉନ୍ନତି ଦେଶର ଉନ୍ନତି । ତେଣୁ ରାଜ୍ୟରେ ୧୦ ଲକ୍ଷରୁ ଅଧିକ ଭୂମିହୀନଙ୍କୁ ଜୀବିକା ଅର୍ଜନ, ଆନୁସଙ୍ଗିକ କୃଷିକାର୍ଯ୍ୟ ପାଇଁ ୩ଟି କିସ୍ତିରେ ୧୨ ହଜାର ୫ଶହ ଟଙ୍କାର ସହାୟତା ମିଳିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।