ରଣପୁରରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର, ମୁଁ ଥିବା ଯାଏଁ କାଳିଆ ଯୋଜନା ବନ୍ଦ ହେବନି: ନବୀନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନୟାଗଡ଼ ଜିଲା ରଣପୁର ନିର୍ବାଚନମଣ୍ଡଳୀ ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପହଞ୍ଚି ଦଳୀୟ ନେତାଙ୍କ ପାଇଁ ପ୍ରଚାର କରିଛନ୍ତି । ଏହି ଉପଲକ୍ଷେ ରଣପୁର ପଞ୍ଚୁଦୋଳ ପଡ଼ିଆଠାରେ ଜିଲା ସଭାପତି ରବିନାରାୟଣ ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ଯୋଗଦେଇଥିଲେ । ଏଠାରେ ମୁଖ୍ୟମନ୍ତ୍ରୀ ଅଭିଭାଷଣରେ କାଳିଆ ଯୋଜନାର ସଫଳତା କଥା କହିଥିଲେ । ଏଥିସହ ବିରୋଧୀ କାଳିଆ ଯୋଜନା ବନ୍ଦ କରିବାକୁ ହୀନ ଚକ୍ରାନ୍ତ କରୁଥିବା ବେଳେ ମୁଁ ଥିବା ଯାଏ କାଳିଆ ଯୋଜନାକୁ କେହି ବନ୍ଦ କରିପାରିବେନି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ବିଜେଡି ସରକାର ଗଢ଼ିବାର ପ୍ରଥମ ଦିନ ହିଁ କାଳିଆ ଯୋଜନାରେ ଟଙ୍କା ପାଇ ନ ଥିବା ଚାଷୀଙ୍କୁ ଏକାଥରେ ଦୁଇ କିସ୍ତି ବାବଦ ୧୦ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ନବୀନ କହିଥିଲେ ।

ଏହାପରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ଅବହେଳାକୁ ନେଇ ଖୁବ୍‌ ବର୍ଷିଥିଲେ । ମିଶନ ଶକ୍ତି ଯୋଗେ ମହିଳାମାନଙ୍କୁ ସଶକ୍ତ କରାଯାଉଥିବା ବେଳେ ବିଜୁ ସ୍ବାସ୍ଥ୍ୟକଲ୍ୟାଣ ଯୋଜନା ମାଧ୍ୟମରେ ମହିଳାଙ୍କ ପାଇଁ ବାର୍ଷିକ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏଥିସହ ବିଜେଡି ସମର୍ଥୀତ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ନବୀନ ସ୍ଥାନୀୟ ଜନସାଧାରଣଙ୍କୁ ନିବେଦନ କରିଥିଲେ । ଏହି କାର୍ଯ୍ୟକ୍ରମରେ ରଣପୁର ବିଧାୟକ ପ୍ରାର୍ଥୀ ସତ୍ୟନାରାୟଣ ପ୍ରଧାନଙ୍କ ସମେତ ଦଳୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ ।

Leave a comment