ଫନି କ୍ଷତିଗ୍ରସ୍ତଙ୍କ ପାଇଁ ସହାୟତା ଘୋଷଣା କଲେ ରାଜ୍ୟ ସରକାର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ‘ଫନି’ କ୍ଷୟକ୍ଷତିର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମୀକ୍ଷା କରିବା ପରେ ସହାୟତା ଘୋଷଣା କରିଛନ୍ତି । ଏହି ସହାୟତା କେବଳ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ଥିବା ପରିବାରଙ୍କୁ ପ୍ରଦାନ କରାଯିବ ।

ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବାତ୍ୟା ଫନିର ସମୀକ୍ଷା କରିବା ପରେ ସହାୟତା ଘୋଷଣା କରିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି,‘ଫନି’ରେ ପୁରୀ ଜିଲ୍ଲା ଓ ଖୋର୍ଦ୍ଧା ଜିଲ୍ଲାର କେତେକ ଅଞ୍ଚଳ ଅତ୍ୟଧିକ କ୍ଷତିଗ୍ରସ୍ତ ହୋଇଛି । ଏଠାରେ ଖାଦ୍ୟ ସୁରକ୍ଷାରେ ସାମିଲ ଥିବା ସମସ୍ତ ପରିବାରକୁ ୫୦କିଲୋ ଚାଉଳ ସହ ୨ହଜାର ଟଙ୍କା ଓ ପଲିଥିନ ସିଟ ଯୋଗାଇ ଦିଆଯିବ ।

ଖୋର୍ଦ୍ଧା ଅଞ୍ଚଳରେ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ପରିବାରକୁ ଅତିରିକ୍ତ ଭାବେ ଗୋଟିଏ ମାସର ଚାଉଳ କୋଟା ସହ ଏକ ହଜାର ଟଙ୍କା ଓ ପଲିଥିନ୍ ସିଟ ସରକାର ଯୋଗାଇ ଦେବେ । ସେହିପରି କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ କ୍ଷତିଗ୍ରସ୍ତଙ୍କୁ ଅତିରିକ୍ତ ଏକମାସର ଚାଉଳ ସହ ୫୦୦ଟଙ୍କା ସହାୟତା ଦିଆଯିବ ।

‘ଫନି’ରେ ପ୍ରଭାବିତ ସମସ୍ତ ଜିଲ୍ଲାରେ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ ହିତାଧିକାରୀଙ୍କୁ ଏକମାସର ଅତିରିକ୍ତ ମାସିକ ଭତ୍ତା ଓ ରିଲିଫ୍ କୋଡ ଅନୁସାରେ ଗୃହ ନିର୍ମାଣ ସହାୟତା ଯୋଗାଇ ଦିଆଯିବ । ଯେଉଁମାନଙ୍କର ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି ସେମାନଙ୍କୁ ୯୫,୧୦୦ଟଙ୍କା, ଆଂଶିକ ଭାଙ୍ଗିଯାଇଥିଲେ ୫,୨୦୦ଟଙ୍କା ଓ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିଲେ ୩,୨୦୦ ଟଙ୍କା ସହାୟତା ଦିଆଯିବା ସହ ମିଶନ ମୋଡରେ ବୃକ୍ଷରୋପଣ କାର୍ଯ୍ୟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଘୋଷଣା କରିଛନ୍ତି ।

Leave a comment