ରାଜ୍ୟରେ ସାର ଅଭାବ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ) : ରାଜ୍ୟରେ ସାର ଅଭାବ ନେଇ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ମନସୁଖ ମାଣ୍ଡଭିୟେଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତୁରନ୍ତ ରାଜ୍ୟକୁ ଅଧିକ ସାର ଯୋଗାଇବାକୁ ଦାବି କଲେ ମୁଖ୍ୟମନ୍ତ୍ରୀ । ମେ’, ଜୁନ୍, ଜୁଲାଇ ମାସରେ ଓଡିଶାକୁ ନିଅଣ୍ଟିଆ ସାର ଯୋଗାଣ ହୋଇଛି । ବିଶେଷ କରି ୟୁରିଆ ସାର ୨ ଲକ୍ଷ ୩୧ ହଜାର ୫୩୦ ମେଟ୍ରିକ୍ ଟନ୍‌ ଆବଶ୍ୟକ ଥିବାବେଳେ ରାଜ୍ୟ ପାଇଛି ୧ ଲକ୍ଷ ୪୫ ହଜାର ୧୪୫ ମେଟ୍ରିକ ଟନ୍‌ ।

ସେହିଭଳି ଭାବେ DAP ସାର ୧ ଲକ୍ଷ ୫୨ ହଜାର ମେଟ୍ରିକ ଟନ୍‌ ଆବଶ୍ୟକ ଥିବାବେଳେ ରାଜ୍ୟ ପାଇଛି ୯୭ ହଜାର ୭୬୩ ମେଟ୍ରିକ ଟନ୍ । MOP ସାର ୬୭ ହଜାର ୨୦୦ ମେଟ୍ରିକ ଟନ୍ ଆବଶ୍ୟକ ଥିବାବେଳେ ରାଜ୍ୟ ପାଇଛି ୪୨ ହଜାର ୮୬୭ ମେଟ୍ରିକ ଟନ୍ । NPKS ସାର ୧ ଲକ୍ଷ ୪୨ ହଜାର ମେଟ୍ରିକ ଟନ୍‌ ଆବଶ୍ୟକ ଥିବାବେଳେ ରାଜ୍ୟ ପାଇଛି ୧ ଲକ୍ଷ ୫ ହଜାର ୭୯୮ ମେଟ୍ରିକ ଟନ୍ । ଆବଶ୍ୟକତା ଥିବା ୟୁରିଆ ସାରର ରାଜ୍ୟ ମାତ୍ର ପାଇଛି ୬୨ ପ୍ରତିଶତ । ସେହିଭଳି ଅନ୍ୟ ସାର ୬୦-୭୪ ପ୍ରତିଶତ ପାଇଛି ଓଡିଶା ।

ଜୁଲାଇ ମଧ୍ୟ ଭାଗରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଓଡିଶାରେ ୟୁରିଆ ସାରର ଅଧିକ ଆବଶ୍ୟକତା ପଡିଥାଏ । ଅନ୍ୟ ସାରର ଡିମାଣ୍ଡ ଜୁଲାଇରୁ ଅଗଷ୍ଟ ମାସରେ ଥାଏ । ଯଦି ସାର ଯୋଗାଣରେ ଅଭାବ ହୁଏ, ତାହେଲେ ଏହା ଖାଦ୍ୟ ଶସ୍ୟ ଉତ୍ପାଦନରେ ବାଧା ସୃଷ୍ଟି କରିବ । ସାର ନମିଳିବା ଯୋଗୁଁ ଅଯଥାରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ ବୋଲି ଚିଠିରେ ଦର୍ଶାଯାଇଛି ।

ବାତ୍ୟା ୟାସ୍‌ ପ୍ରଭାବରେ ଚାଷୀ ଅନେକ କ୍ଷୟକ୍ଷତି ସହିଛନ୍ତି । ଏସବୁ ଦୃଷ୍ଟିରେ ରଖି ୟୁରିଆ ଓ ଅନ୍ୟାନ୍ୟ ସାର ଯୋଗାଇ ଦେବାକୁ ଚିଠି ଲେଖି ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ।

Leave a comment