ମୁଖ୍ୟମନ୍ତ୍ରୀ କଲେ ରାଜ୍ୟସଭା ପ୍ରାର୍ଥୀ ଘୋଷଣା ସସ୍ମିତ, ଅମର ଓ ଅଶ୍ୱିନୀ ହେଲେ ପ୍ରାର୍ଥୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସସ୍ମିତ ପାତ୍ର, ଅମର ପଟ୍ଟନାୟକ ଓ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡି ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । ବିରୋଧୀ ଦଳ ବିଜେପି ଓ କଂଗ୍ରେସରେ ଆବଶ୍ୟକୀୟ ସଂଖ୍ୟାନଥିବାରୁ ଏହି ତିନିଜଣ ପ୍ରାର୍ଥୀ ରାଜ୍ୟସଭାକୁ ନିଦ୍ୱନ୍ଦ୍ୱରେ ନିର୍ବାଚିତ ହେବା ସ୍ପଷ୍ଟ ହୋଇଯାଇଛି ।
ସୂଚନା ଅନୁଯାୟୀ, ସସ୍ମିତ ପାତ୍ର, ଅମର ପଟ୍ଟନାୟକ ବିଜେଡି ପ୍ରାର୍ଥୀ ହୋଇଥିବା ବେଳେ ଅଶ୍ୱିନୀ ବୈଷ୍ଣବ ବିଜେଡି ସମର୍ଥିତ ବିଜେପି ପ୍ରାର୍ଥୀ । ସସ୍ମିତ ପାତ୍ର ବିଜେଡି ମୁଖପାତ୍ର ଥିବା ବେଳେ ଅମର ପଟ୍ଟନାୟକ ବିଜେଡି ଆଇଟି ୱିଙ୍ଗ ମୁଖ୍ୟ ଭାବେ ନିଜ ଦାୟିତ୍ୱ ତୁଲାଉଛନ୍ତି । ୧୯୯୪ ବ୍ୟାଚ୍ ଓଡ଼ିଶା କ୍ୟାଡର ଆଇଏଏସ ଅଶ୍ୱିନୀ ବୈଷ୍ଣବ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବ୍ୟକ୍ତିଗତ ସଚିବ ଥିଲେ । ୨୦୦୪ ରେ ଓଡ଼ିଶାରେ ବିଜେପି ଓ ବିଜେଡି ମେଣ୍ଟ ସରକାରରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇ ଥିଲେ ତେଣୁ ତାଙ୍କୁ ରାଜ୍ୟସଭା ପଠାଇବା ପଛରେ ବିଜେପିର ହାତ ରହିଥିବା ଅନୁମାନ କରାଯାଉଛି । ସେ ଆଗାମୀ ଦିନରେ ବିଜେଡି ଓ ବିଜେପି ମଧ୍ୟରେ ସୁ-ସମ୍ପର୍କ ସ୍ଥାପନ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିବେ ବୋଲି ଅନୁମାନ କରାଯାଉଛି । ଏହି ସମସ୍ତ ପ୍ରାର୍ଥୀ ଆସନ୍ତା ୨୪ତାରିଖରେ ନିଜର ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ସୂଚନା ମିଳିଛି ।