କମ୍ପୁଛି ବିଜେପୁର, ପ୍ରଚାର ମଇଦାନରେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ଉଠୁଛି ପଡୁଛି ବିଜେପୁର । ଉପନିର୍ବାଚନ ପ୍ରଚାରକୁ ବାକି ରହିଲା ଆଉ ମାତ୍ର ଗୋଟିଏ ଦିନ । ତେଣୁ ବିଜେଡି ଓ ବିଜେପି ନିଜ ନିଜ ପ୍ରାର୍ଥୀକୁ ଜିତାଇବାକୁ ଲାଗିପଡିଛନ୍ତି ଜୋରଦାର ପ୍ରଚାର ରେ । ଲୋକଙ୍କ ମନ ଜିଣିବାକୁ କରୁଛନ୍ତି ଶେଷ ପ୍ରୟାସ । ଏହି ପ୍ରଚାର ମୈଦାନରେ କଂଗ୍ରେସ ଥିବା ପରିଲକ୍ଷିତ ହେଉନାହିଁ । ବିଜେପୁରରେ ବିଜେଡି ଓ ବିଜେପି ମଧ୍ୟରେ ହେବ ହେବ ଟକ୍କର । ଗତକାଲି ଠାରୁ ମୁଖ୍ୟମନ୍ତ୍ରୀ ବିଜେଡି ପ୍ରାର୍ଥୀ ରୀତା ସହୁ ପାଇଁ ପ୍ରଚାର କରୁଥିବା ବେଳେ ବିଜେପି ପ୍ରାର୍ଥୀ ସନତ ଗଡ଼ତିଆଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ଆଜି ପ୍ରଚାର କାଟୁଛନ୍ତି ।

ସୂଚନା ଅନୁଯାୟୀ, ଗତକାଲି ମୁଖ୍ୟମନ୍ତ୍ରୀ ସକାଳ ୧୦ଟା ୩୦ରେ ବରଗଡ଼ ଜିଲ୍ଲାର ଲାଉମୁଣ୍ଡା ହେଲିପ୍ୟାଡ଼ ପହଞ୍ଚିଥିଲେ । ଏହା ପରେ ମୁଖ୍ୟମନ୍ତ୍ରୀ କୁରକୁଟ୍ଟା ଯାଇ ପ୍ରଚାର ଆରମ୍ଭ କରିବା ସହ ବିଭିନ୍ନ ସ୍ଥାନରେ ରୋଡ ଶୋ କରିଥିଲେ । ଗତ କାଲି ରାତିରେ ବରଗଡ଼ର ପୂର୍ତ୍ତ ବିଭାଗ ଆଇବିରେ ରାତ୍ରିଯାପନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ସକାଳ ସାଢ଼େ ୯ଟାରେ ସେ ବରଗଡ଼ରୁ ହେଲିକପ୍ଟର୍ ଯୋଗେ ଯାଇ ଗାଇସିଲଟ୍ ବ୍ଲକ ତଳପାଲି ଯାତ୍ରା ପଡ଼ିଆରେ ଓହ୍ଲାଇଥିଲେ । ସେଠାରୁ ରୋଡ୍ ସୋ’ ଆରମ୍ଭ କରି ଦଳୀୟ ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ଭୋଟ ମାଗିଛନ୍ତି । ବିଜେପୁର, ବରପାଲି ଓ ଗାଇସିଲଟ ବ୍ଲକ, କେନ୍ଦୁମୁଣ୍ଡା, କଠଉମାଲ, ବଡ଼ ସାହାଜବାହାଲ, ଜଗଦଲପାଟ, ଭଂଗାମୁଣ୍ଡା, ଡାଙ୍ଗବାହାଲ, ସରଧାପାଲି, କରଞ୍ଜାପାଲି, କିର୍ମେଲି ଛକରେ ମୁଖ୍ୟମନ୍ତ୍ରୀ ରୋଡ୍ ଶୋ’ କରିଛନ୍ତି । ଆଜି ଅପରାହ୍ନ ୩.୩୦ରେ ଭୁବନେଶ୍ୱର ଫେରିି ଆସିଛନ୍ତି ମୁଖ୍ୟମନ୍ତ୍ରୀ ।

ଅପରପକ୍ଷରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଆଜି ପୁନର୍ବାର ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ।ବିଜେପି ପ୍ରାର୍ଥୀ ସନତ ଗଡ଼ତିଆଙ୍କୁ ମନବଳ ଦେବାକୁ ଧର୍ମେନ୍ଦ୍ର ପ୍ରଧାନ ପୁଣି ପ୍ରଚାରରେ ସାମିଲ ହୋଇଛନ୍ତି । ଆଜି ବିଜେପୁରରେ ଉଭୟ ବିଜେଡି ଓ ବିଜେପିର ଦୁଇ ହେଭିୱେଟ୍ ନେତା ପ୍ରଚାର କରିବାର ଥିବାରୁ ରାଜନୈତିକ ପରିବେଶ ବେଶ୍ ସରଗରମ ରହିଛି। ଶ୍ରୀ ପ୍ରଧାନ ଗତ ସପ୍ତାହରେ ବିଜେପୁର ଗସ୍ତ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ। ଆଜି ପୁଣି ପୁରାଦିନ ରୋଡ୍ ସୋ’ କରିବାର କାର୍ଯ୍ୟକ୍ରମ ରହିଛି । ଆଜି ସକାଳ ୧୦ଟାରେ ବିଜେପୁର ଏନ୍ଏସିରୁ ଶ୍ରୀ ପ୍ରଧାନ ରୋଡ୍ ସୋ’ ଆରମ୍ଭ କରିଥିଲେ । ରାଜ୍ୟ ବିଜେପି ସଭାପତି ବସନ୍ତପଣ୍ଡାଙ୍କ ସମେତ ଦଳର ଅନେକ ନେତା ବିଜେପୁରରେ ଡେରା ପକାଇଛନ୍ତି । ବସନ୍ତ ପଣ୍ଡା ଅଭିଯୋଗ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ବିଜେପୁରବାସୀଙ୍କୁ ପ୍ରତାରିତ କରିଛନ୍ତି । ଆଉ ଏହାର ଜବାବ୍ ବିଜେପୁରବାସୀ ନିର୍ବାଚନରେ ଦେବେ ।

Leave a comment