ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡିଶାରେ ସ୍ନାତକ (ୟୁଜି) ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ କଲ୍ୟାଣ ଏବଂ କ୍ୟାରିୟରକୁ ଦୃଷ୍ଟିରେ ରଖି ସ୍ନାତକ ଶେଷ ସେମିଷ୍ଟାରର ପରୀକ୍ଷାର ଫାଇନାଲ ମାର୍କସିଟ୍ କିମ୍ବା ପ୍ରୋଭିଜିନାଲ ମାର୍କସିଟ୍ ଶୀଘ୍ର ପ୍ରଦାନ କରିବା ପାଇଁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।
କେନ୍ଦ୍ରମନ୍ତ୍ରୀ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଅଗଷ୍ଟ ମାସର ପ୍ରଥମ ଓ ଦ୍ବିତୀୟ ସପ୍ତାହରେ ଛାତ୍ରଛାତ୍ରୀମାନେ ଅନଲାଇନ୍ ମାଧ୍ୟମରେ ୟୁଜି ଷଷ୍ଠ ସେମିଷ୍ଟାର ପରୀକ୍ଷା ଦେଇଥିଲେ । ଏହାର ଫଳାଫଳ ପ୍ରକାଶ ପାଇନଥିବାରୁ ଛାତ୍ରଛାତ୍ରୀମାନେ କଲେଜ ଏବଂ ଓଡିଶା ଶିକ୍ଷା ବିଭାଗର ଅଧିକାରୀଙ୍କୁ ଏ ନେଇ ଦୃଷ୍ଟି ଆକର୍ଷଣ କରିଥିଲେ । ଏହା ସତ୍ତ୍ବେ ଏପର୍ଯ୍ୟନ୍ତ ସେମାନଙ୍କୁ ପ୍ରୋଭିଜିନାଲ ମାର୍କସିଟ୍ ଦିଆଯାଇନାହିଁ । ଅନେକ ବିଶ୍ବବିଦ୍ୟାଳୟରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ ପରୀକ୍ଷାର୍ଥୀମାନେ ଆଶା ଆଶଙ୍କାରେ ରହିଛନ୍ତି ।
ପୂର୍ବରୁ ପ୍ରୋଭିଜିନାଲ ମାର୍କସିଟ୍ ମଧ୍ୟ ନ ମିଳିବା କାରଣରୁ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଉପରେ ଏହାର ପ୍ରଭାବ ପଡିବାର ଆଶଙ୍କା କରାଯାଉଛି । ପରୀକ୍ଷା ଫଳ ପ୍ରକାଶ ପାଇନଥିବାରୁ ଅନେକ ଛାତ୍ରଛାତ୍ରୀମାନେ ମିଜୋରାମ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ, ଭାରଥିଆର ବିଶ୍ବବିଦ୍ୟାଳୟରେ ନାମ ଲେଖାଇବାରୁ ବଞ୍ଚିତ ହୋଇଛନ୍ତି । ମୁମ୍ବାଇ ବିଶ୍ବବିଦ୍ୟାଳୟ, କୁମାଁଉ ବିଶ୍ବବିଦ୍ୟାଳୟ ଭଳି ଅନେକ ବିଶ୍ବବିଦ୍ୟାଳୟରେ ଆଡ଼ମିସନ ତାରିଖ ନିକଟବର୍ତ୍ତୀ ହେଉଥିବାରୁ ଛାତ୍ରଛାତ୍ରୀମାନେ ନେଇ ଦ୍ବନ୍ଦରେ ଅଛନ୍ତି । ଏହାସହ ରାଜ୍ୟ ବାହାରେ ଅଫଲାଇନ ମାଧ୍ୟମରେ ହେଉଥିବା ବିଶ୍ବବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରୁ ମଧ୍ୟ ବଞ୍ଚିତ ହେଉଛନ୍ତି ।
ଏ ସବୁକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ୟକ୍ତିଗତ ହସ୍ତକ୍ଷେପ କରି ଛାତ୍ରଛାତ୍ରୀଙ୍କୁ ଷଷ୍ଠ ସେମିଷ୍ଟାର ପରୀକ୍ଷା ଫଳର ଫାଇନାଲ ମାର୍କସିଟ୍ କିମ୍ବା ପ୍ରୋଭିଜିନାଲ ମାର୍କସିଟ୍ ଦେବା ପାଇଁ ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧ କରିଛନ୍ତି । ପ୍ରୋଭିଜିନାଲ ମାର୍କସିଟ୍ ଦିଆଗଲେ ପରୀକ୍ଷାର୍ଥୀମାନେ ବିଭିନ୍ନ ରାଜ୍ୟ ତଥା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ସ୍ନାତକତୋର ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ସୁଯୋଗ ପାଇପାରିବେ ବୋଲି ଧର୍ମେନ୍ଦ୍ର ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ।