ଅଶଗାବାତ ସବୁଠାରୁ ମହଙ୍ଗା ସହର
ମର୍ସର କଷ୍ଟ ଅଫ୍ ଲିଭିଙ୍ଗ ସଂସ୍ଥା ପକ୍ଷରୁ କରାଯାଇଥିବା ସର୍ଭରୁ ଏହା ଜଣାପଡିଛି ଯେ, ତୁର୍କମେନିସ୍ତାନର ରାଜଧାନୀ ଅଶଗାବାତ ବିଶ୍ୱର ବ୍ୟୟବହୁଳ ସହର ଭାବେ ମାନ୍ୟତା ଲାଭ ପାଇଛି । ତୁର୍କମେନିସ୍ତାନରେ ଘୋର ଆର୍ଥିକ ସଙ୍କଟ ଦେଖାଦେଇଥିବା ପରିପ୍ରେକ୍ଷୀରେ ଅଶ୍ଗାବାତ ସବୁଠାରୁ ବ୍ୟୟବହୁଳ ସହରଭାବେ ମାନ୍ୟତା ପାଇଛି । ଭାରତର ବାଣିଜ୍ୟ ରାଜଧାନୀ କୁହାଯାଉଥିବା ମୁମ୍ବାଇ ୭୮ତମ ସ୍ଥାନରେ ରହିଛି । ଭାରତର ଅନ୍ୟ ସହର ମଧ୍ୟରେ ଦିଲ୍ଲୀ ୧୧୭, ଚେନ୍ନାଇ ୧୫୮, ବେଙ୍ଗାଲୁରୁ ୧୭୦ ଓ କୋଲକାତା ୧୮୧ ସ୍ଥାନ ରହିଥିବା ଜଣାପଡିଛି । ୫ଟି ମହାଦେଶର ମୋଟ ୨୦୯ ସହରକୁ ଚୂଡାନ୍ତ ରିପୋର୍ଟରେ ସ୍ଥାନିତ କରାଯାଇଛି । ବାସଗୃହ, ପରିବହନ, ଖାଦ୍ୟ, ପୋଷାକ ପରିଧାନ, ଗୃହୋପକରଣ ସାମଗ୍ରୀ ଓ ମନୋରଞ୍ଜନ ଭଳି ୨୦୦ରୁ ଅଧିକ ପ୍ରସଙ୍ଗକୁ ଆଧାର କରି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି । ତାଲିକାର ୧୪ଶ ସ୍ଥାନରେ ଥିବା ନ୍ୟୁୟର୍କକୁ ସର୍ଭର ମୂଳ ସହରଭାବେ ଗ୍ରହଣ କରାଯାଇଥିବାବେଳେ ଅର୍ଥ କାରବାରକୁ ଆମେରିକୀୟ ଡଲାରରେ ତୁଳନା କରାଯାଇଛି । ବିଶ୍ୱର ସବୁଠୁ ୧୦ ବ୍ୟୟବହୁଳ ସହର ତାଲିକାରେ ହଂକଂ, ଟୋକିଓ, ସାଂଘାଇ, ଜୁରିକ, ସିଙ୍ଗାପୁର, ଭଳି ସହର ସ୍ଥାନ ପାଇଛନ୍ତି ।