ଚୀନକୁ ଆଉ ଏକ ଝଟକା, ଆମଦାନି ହେଉଥିବା ଏଲଇଡିର ହେବ କ୍ୱାଲିଟି ଚେକ୍

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭାରତ ଚୀନକୁ ଆଉ ଏକ ଝଟକା ଦେବା ପାଇଁ ପ୍ରସ୍ତୁତ ହେଉଛି। ଚୀନରୁ ଆମଦାନି ହେଉଥିବା ଏଲଇଡି ସାମଗ୍ରୀ ଉପରେ ଭାରତ ସରକାର ରୋକ ଲଗାଇବାକୁ ଯାଉଛନ୍ତି। ବର୍ତ୍ତମାନ ଅନ୍ୟ ଦେଶରୁ ଆମଦାନି ହେଉଥିବା ଏଲଇଡି ସାମଗ୍ରୀର କ୍ୱାଲିଟି ଚେକ୍ ହେବ। ବାଣିଜ୍ୟ ମନ୍ତ୍ରାଳୟର ଅନ୍ତର୍ଗତ ବିସ୍ ପକ୍ଷରୁ ଦେଶର ବଡ଼ ବଡ଼ ପୋର୍ଟ ଯଥା- କାଣ୍ଡଲା, ପାରଦୀପ, କୋଚି, ମୁମ୍ବାଇକୁ ଆସୁଥିବା ଏଲଇଡି ସାମଗ୍ରୀର କ୍ୱାଲିଟି ଯାଞ୍ଚ ପାଇଁ ଆଦେଶ ଦିଆଯାଇଛି। ଏନେଇ ଡାଇରେକ୍ଟର ଜେନେରାଲ ଅଫ୍ ଫରେନ ଟ୍ରେଡ ପକ୍ଷରୁ ମଧ୍ୟ ବିଜ୍ଞପ୍ତି ଜାରି ହୋଇଛି।
ବିଜ୍ଞପ୍ତି ଅନୁସାରେ-
୧- ଆମଦାନି ହୋଇଥିବା ମାଲ ମଧ୍ୟରୁ ଅନିୟମିତ ଆକାରରେ ଯାଞ୍ଚ ହେବ।
୨-ଯାଞ୍ଚ ପାଇଁ ବିଆଇଏସର ଲ୍ୟାବକୁ ପଠାଯିବ। ତେବେ ୭ ଦିନ ପର୍ଯ୍ୟନ୍ତ ଯାଞ୍ଚ ପ୍ରକ୍ରିୟା ହେବ।
୩-ଏହି ଏଲଇଡି ସାମଗ୍ରୀ ସୁରକ୍ଷା ମାପଦଣ୍ଡରେ ଠିକ ହେବା ଦରକାର।
୪-ମାପଦଣ୍ଡରେ ଠିକ୍ ହେବା ପରେ କଷ୍ଟମ କ୍ଲିୟରାନ୍ସ ମିଳିବ।
୫-ଯଦି ଏହା ଠିକ୍ ନ ଥାଏ ତେବେ ସବୁ ମାଲକୁ ନଷ୍ଟ କରିଦିଆଯିବ।
ତେବେ ଏଭଳି ନିଷ୍ପତ୍ତି ନେବା ଦ୍ୱାରା ଭାରତରେ ଭଲ କ୍ୱାଲିଟିର ଏଲଇଡି ମଳିବା ସହ ଚୀନକୁ ବଡ଼ ଝଟକା ଲାଗିବ ବୋଲି କୁହାଯାଇଛି। ସୂଚନା ଅନୁସାରେ ଭାରତରେ ଚୀନଠାରୁ ୨୦୨୦ରେ ୧୯୦୦ କୋଟି ଟଙ୍କାର ଇଲୋକ୍ଟ୍ରୋନିକ୍ସ ସାମଗ୍ରୀ ଆମଦାନି କରାଯାଇଛି।

Leave a comment