ଡ୍ରାଗନ୍‌ର ଦାଦାଗିରି ବିରୋଧରେ ମେଳି ବାନ୍ଧିଲେ ମାଲେସିଆ, ଫିଲିପାଇନ୍ସ ଓ ଜାପାନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):  ସହିବାର ସମସ୍ତ ସୀମା ପାର୍‌ ହୋଇଗଲା । ଏବେ ଜବାବ୍‌ ଦେବାର ସମୟ । ଏକଥା ଏବେ ସାରା ବିଶ୍ୱ ବୁଝିସାରିଲାଣି । ତାଇୱାନ୍‌ ଭଳି ଛୋଟ ଦେଶ ଡ୍ରାଗନ୍‌କୁ ଖୋଲା ଚ୍ୟାଲେଞ୍ଜ ଦେବାର କିଛି ଦିନ ନବିତୁଣୁ ବିଶ୍ୱର ଅନ୍ୟ ଦେଶମାନେ ବି ଚୀନ୍‌କୁ ବିରୋଧ କରିବା ପାଇଁ ମେଳି ବାନ୍ଧିବା ଆରମ୍ଭ କରିସାରିଲେଣି । ନିକଟରେ ଆମେରିକା ଚୀନ୍‌କୁ ଚ୍ୟାଲେଞ୍ଜ କରିସାରି ଦକ୍ଷିଣ ଚୀନ୍‌ ସାଗରକୁ ଯୁଦ୍ଧ ଜାହାଜ ପଠାଇ ସାରିଛି । ତେବେ ଆମେରିକା ପରେ ପରେ ଏବେ ଚୀନ୍‌ ବିରୋଧରେ ସ୍ୱର ଶାଣିତ କରିଛନ୍ତି ମାଲେସିଆ, ଫିଲିପାଇନ୍ସ ଓ ଜାପାନ । ଗଲୱାନ ଘାଟିରେ ଚୀନ୍‌ ବିରୋଧରେ ନିଜର ସ୍ୱାର୍ଥ ରକ୍ଷା ପାଇଁ ଦୃଢ଼ ଜବାବ୍‌ ଦେଇଥିଲା ଭାରତ । ଭାରତର ଚୀନ୍‌ ବିରୋଧୀ ପଦକ୍ଷେପ ସାରା ବିଶ୍ୱକୁ ଚୀନ୍‌ ବିରୋଧରେ ସ୍ୱର ଉଠାଇବାକୁ ପ୍ରତ୍ୟକ୍ଷ ଭାବରେ ପ୍ରୋତ୍ସାହିତ କରିଛି । ନିକଟରେ ଚୀନ୍‌ ଅନ୍ତର୍ଜାତୀୟ ଟ୍ରିବ୍ୟୁନାଲର ରାୟକୁ ସମ୍ମାନ ଜଣାଇ ଦକ୍ଷିଣ-ଚୀନ୍‌ ସାଗରରେ ନିଜର ବେଆଇନ ଦାବିରୁ ଓହରିଯାଉ ବୋଲି ଡ୍ରାଗନ୍‌କୁ ତାଗିଦ୍‌ କରିଛି ଫିଲିପାଇନ୍ସ । ୨୦୧୪ରେ ଅନ୍ତର୍ଜାତୀୟ ଟ୍ରିବ୍ୟୁନାଲ ଚୀନ୍‌ର ଦାବି ବେଆଇନ ବୋଲି କହୁଥିଲେ ମଧ୍ୟ ଚୀନ୍‌ ତାହାକୁ ମାନିବାକୁ ନାରାଜ । ସେହିପରି ମାଲେସିଆ ମଧ୍ୟ ଚୀନ୍‌ର ଦାବିକୁ ଦୃଢ ବିରୋଧ କରିଛି । ଚୀନ୍‌କୁ କୂଟନୈତିକ ସ୍ତରରେ ବିରୋଧ ଜଣାଇଛି କ୍ୱାଲାଲାମ୍ପୁର । ସେହିପରି ଇଣ୍ଡୋନେସିଆ ମଧ୍ୟ ଚୀନ୍‌କୁ ଖୋଲା ଖୋଲି ବିରୋଧ କରିବା ଆରମ୍ଭ କରିଛି । ଜାପାନ ଚୀନ୍‌ର ଦାଦାଗିରିକୁ ମୁକାବିଲା କରିବାକୁ ସୀମାରେ କ୍ଷେପଣାଶସ୍ତ୍ର ସଜାଇଛି । ଜାପାନର ଏକ ଦ୍ୱୀପକୁ ଚୀନ୍‌ ନିଜର ବୋଲି ଦାବି କରୁଥିବାରୁ ଜାପାନ ଏଭଳି ଚରମ ପଦକ୍ଷେପ ନେଇଛି । ଦକ୍ଷିଣପୂର୍ବ ଏସୀୟ ଦେଶମାନଙ୍କୁ ସମର୍ଥନ ଜଣାଇ ଆମେରିକା ନିଜର ଯୁଦ୍ଧ ଜାହଜ ପଠାଇବା ପରେ ଏହି ଦେଶମାନେ ଚୀନ୍‌ ବିରୋଧରେ ସ୍ୱର ଉତ୍ତୋଳନ କରି ଆକ୍ରାମଣାତ୍ମକ ସ୍ୱଭାବ ଆପଣେଇଛନ୍ତି । ତେବେ ସାରା ବିଶ୍ୱରେ ଏବେ ଚୀନ୍‌ ବିରୋଧୀ ସ୍ୱର ସୃଷ୍ଟି ହୋଇଥିବାରୁ ଏଥିରୁ କୁଟନୈତିକ ଫାଇଦା ହାସଲ କରିବା ନିମନ୍ତେ ନିଜ ପାଇଁ ସୁଯୋଗ ରହିଥିବା ବିଚାର କରି ଛୋଟଛୋଟ ଦେଶ ମଧ୍ୟ ଡ୍ରାଗନ୍‌କୁ ମାତ ଦେବାକୁ ଖୋଲା ଚ୍ୟାଲେଞ୍ଜ କରୁଛନ୍ତି ।

Leave a comment